୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କଲା ବିଜେପି । ବିଧାୟକଙ୍କ ସହ ପର୍ଯ୍ୟବେକ୍ଷକଙ୍କ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ବାଜିବ ମୋହର, ଜାଣନ୍ତୁ କେଉଁ ରାଜ୍ୟ ପାଇଁ କାହାକୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ଦଳ?

୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କଲା ବିଜେପି । ବିଧାୟକଙ୍କ ସହ ପର୍ଯ୍ୟବେକ୍ଷକଙ୍କ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ବାଜିବ ମୋହର, ଜାଣନ୍ତୁ କେଉଁ ରାଜ୍ୟ ପାଇଁ କାହାକୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ଦଳ?

କନକ ବ୍ୟୁରୋ : ବିଜେପି ବିଜୟୀ ହୋଇଥିବା ୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ଘୋଷଣା କରିଛି ଦଳ । ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚୟନ ନିଷ୍ପତ୍ତି ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ବିଜେପି । ରାଜସ୍ଥାନ ପାଇଁ ରାଜନାଥ ସିଂ, ବିନୋଦ ତାବଡେ ଓ ସରୋଜ ପାଣ୍ଡେଙ୍କୁ ପର୍ଯ୍ୟବେକ୍ଷକ ଭାବେ ବାଛିଛି ଦଳ । ସେହିଭଳି ମଧ୍ୟପ୍ରଦେଶ ପାଇଁ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, କେ ଲକ୍ଷ୍ମଣ, ଆଶା ଲାକ୍ରାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ଦଳ । ଛତିଶଗଡ ପାଇଁ ୩ ଜଣିଆ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଛି ବିଜେପି । ଅର୍ଜୁନ ମୁଣ୍ଡା, ସର୍ବାନନ୍ଦ ସୋନେୱାଲ ଓ ଦୁଷ୍ୟନ୍ତ ଗୌତମଙ୍କୁ ଦଳ ଗୁରୁଦାୟିତ୍ୱ ଦେଇଛି । ୩ ରାଜ୍ୟ ପାଇଁ ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକ ମାନେ ବିଜେପିର ବିଧାୟକଙ୍କ ସହ ଆଲୋଚନା କରିବା ପରେ ଦଳର ଶୀର୍ଷ ନେତୃତ୍ୱଙ୍କୁ ରିପୋର୍ଟ ଦେବେ । ଯାହା ଆଧାରରେ ଦଳ ୩ ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବ । ଆସନ୍ତା ରବିବାର ସୁଦ୍ଧା ବିଜେପି ୩ ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିପାରେ ।

୨୦୨୩ ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ଦଳ ବିଜୟ ହାସଲ କରିଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଯେପରି ଦଳ ଭିତରେ କୌଣସି ଫାଟ ସୃଷ୍ଟି ନହୁଏ ସେଥିପାଇଁ ତରବରିଆ ଭାବେ ବିଜେପିର ଶୀର୍ଷ ନେତୃତ୍ୱ ଏନେଇ ନିଷ୍ପତ୍ତି ନେଉନାହାନ୍ତି । ରାଜସ୍ଥାନରେ ବସୁନ୍ଧରା ରାଜେଙ୍କ ସମେତ ଦିୟା କୁମାରୀ, ବାବା ବାଳକନାଥ, ଅଶ୍ୱିନୀ ବୈଷ୍ଣବ, ଗଜେନ୍ଦ୍ର ସିଂ ଶେଖାୱତଙ୍କ ନାଁ ମୁଖ୍ୟମନ୍ତ୍ରୀ ରେସରେ ଥିବା ବେଳେ ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହ୍ୱାନ, ନରେନ୍ଦ୍ର ସିଂ ତୋମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ପ୍ରହ୍ଲାଦ ପଟେଲ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରବଳ ଦାବିଦାର ରହିଛନ୍ତି । ସେହିଭଳି ଛତିଶଗଡରେ ରମଣ ସିଂ, ରେଣୁକା ସିଂ, ଓପି ଚୌଧୁରୀଙ୍କ ନାଁ ଏବେ ମୁଖ୍ୟମନ୍ତ୍ରୀ ରେସରେ ସର୍ବାଗ୍ରେ ରହିଛି । ତେଣୁ ବିଧାୟକଙ୍କ ସହ ପର୍ଯ୍ୟବେକ୍ଷକଙ୍କର ଆଲୋଚନା ପରେ ଦଳର ଶୀର୍ଷ ନେତୃତ୍ୱ କାହା ନାଁରେ ମୋହର ମାରିବା ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe