ବିଧାନସଭା ନିର୍ବାଚନ ଉପରେ ବିଜେପିର ଆଖି । ଧର୍ମେନ୍ଦ୍ରଙ୍କୁ ମିଳିଲା ବଡ ଦାୟିତ୍ୱ । ହରିୟାଣାର ନିର୍ବାଚନ ପ୍ରଭାରୀ ହେଲେ ଧର୍ମେନ୍ଦ୍ର ପ୍ରଧାନ ।

231

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପରେ ପରେ, ଏବେ ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ଫୋକସ୍ କରିଛି ଭାରତୀୟ ଜନତା ପାର୍ଟି । ଚଳିତ ବର୍ଷ ମହାରାଷ୍ଟ୍ର ସହ ହରିୟାଣା, ଝାଡଖଣ୍ଡ ଏବଂ ଜାମ୍ମୁକାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଆଉ ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ଏହି ୪ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ଏବଂ ସହ-ପ୍ରଭାରୀ ନିଯୁକ୍ତ କରିଛି ।

ମହାରାଷ୍ଟ୍ର ପାଇଁ କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କୁ ପ୍ରଭାରୀ ଦାୟିତ୍ୱ ମିଳିଥିବାବେଳେ, ଅଶ୍ୱିନୀ ବୈଷ୍ଣବଙ୍କୁ ସହ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ସେହିପରି ହରିୟାଣା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ ଏବଂ ବିପ୍ଲବ କୁମାର ଦେବଙ୍କୁ ସହ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି । ଅନ୍ୟପଟେ ଶିବରାଜ ସିଂହ ଚୌହାନ ଓ ହିମନ୍ତ ବିଶ୍ୱଶର୍ମାଙ୍କୁ ଝାଡଖଣ୍ଡ ଏବଂ ଜି କିଷାନ ରେଡ୍ଡୀଙ୍କୁ ଜାମ୍ମୁକାଶ୍ମୀର ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ୱ ଦେଇଛି ବିଜେପି ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ମହାରାଷ୍ଟ୍ର, ଝାଡଖଣ୍ଡ, ହରିୟାଣା ଏବଂ ଜାମ୍ମୁକାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ମହାରାଷ୍ଟ୍ରରେ ବିଧାନସଭାର କାର୍ଯ୍ୟକାଳ ଚଳିତ ବର୍ଷ ଶେଷ ଆଡକୁ ଶେଷ ହେଉଛି । ତେଣୁ ୨୮୮ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ପାଇଁ ଅକ୍ଟୋବର ମାସରେ ନିର୍ବାଚନ ହେଇପାରେ । ଅନ୍ୟପଟେ ଝାଡଖଣ୍ଡ ବିଧାନସଭାର କାର୍ଯ୍ୟକାଳ ୨୦୨୫ ଜାନୁଆରୀ ମାସରେ ଶେଷ ହେଉଛି । ତେଣୁ ସେଠାରେ ମଧ୍ୟ ନଭେମ୍ବର-ଡିସେମ୍ବର ମାସରେ ନିର୍ବାଚନ ହେଇପାରେ । ସମାନ ଢଙ୍ଗରେ ହରିୟାଣା ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ମାସରେ ଶେଷ ହେଉଛି । ତେଣୁ ସେଠାରେ ଅକ୍ଟୋବର କିମ୍ବା ତା ପୂର୍ବରୁ ନିର୍ବାଚନ ହେଇପାରେ । ସେହିପରି ଜାମ୍ମୁକାଶ୍ମୀରରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସେପ୍ଟେମ୍ବର ମାସରେ ନିର୍ବାଚନ ହେଇପାରେ ।