ବିଜେପିରେ ମିଶିଲେ, ପୁରସ୍କାର ପାଇଲେ । ରାଜ୍ୟସଭା ଯିବେ ଜ୍ୟୋତିରାଦିତ୍ୟ !

1,661

କନକ ବ୍ୟୁରୋ : ବିଜେପିରେ ମିଶିଲେ, ପୁରସ୍କାର ପାଇଲେ । ମାତ୍ର ୩ ଘଣ୍ଟା ତଳେ ବିଜେପିରେ ମିଶିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ଦଳ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମଧ୍ୟପ୍ରଦେଶରୁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଭାବେ ଜ୍ୟୋତିରାଦିତ୍ୟଙ୍କ ନାଁରେ ମୋହର ମାରିଛି ଦଳ । ଏହାପୂର୍ବରୁ ବିଜେପିରେ ମିଶିଲେ ଜ୍ୟୋତିରାଦିତ୍ୟଙ୍କୁ ପୁରସ୍କାର ଆକାରରେ ରାଜ୍ୟସଭା ଆସନ ମିଳିବ ବୋଲି ଚର୍ଚ୍ଚା ହେଉଥିଲା । ଏପରିକି ତାଙ୍କୁ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ମଧ୍ୟ ସିନ୍ଧିଆଙ୍କୁ ସାମିଲ କରାଯିବା ନେଇ କୁହାଯାଉଛି । ବିଜେପିରେ ସାମିଲ ହେବା ସହ ଦେଶବାସୀଙ୍କ ସେବା କରିବାକୁ ସୁଯୋଗ ମିଳିବ ବୋଲି କହିଥିଲେ ସିନ୍ଧିଆ । ତେଣୁ ଏହି ବୟାନରୁ ସଂକେତ ମିଳୁଛି ଯେ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ ।

ଏହାପୂର୍ବରୁ ଆଜି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଗେରୁଆ କ୍ୟାମ୍ପରେ ଏଣ୍ଟ୍ରି କରିଥିଲେ ଜ୍ୟୋତିରାଦିତ୍ୟ । ଆଉ ବିଜେପିରେ ସାମିଲ ହେଉ ହେଉ କଂଗ୍ରେସ ଓ କମଳନାଥ ସରକାର ଉପରେ ବର୍ଷିଛନ୍ତି । ବିଜେପିରେ ସାମିଲ ହେବା ସହ ପଦ୍ମ ପରିବାରରେ ସାମିଲ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ଜେପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜ୍ୟୋତିରାଦିତ୍ୟ । ଏହାସହ କହିଛନ୍ତି, ମୋ ଜୀବନରେ ୨ଟି ତାରିଖ ୩୦ ସେପ୍ଟେମ୍ବର ୨୦୦୧ ଓ ୧୦ ମାର୍ଚ୍ଚ ୨୦୨୦ ବେଶ ମହତ୍ୱପୂର୍ଣ୍ଣ । ୩୦ ସେପ୍ଟେମ୍ବରରେ ବାପାଙ୍କୁ ହରାଇଥିବା ବେଳେ ୧୦ ମାର୍ଚ୍ଚରେ କଂଗ୍ରେସ ଛାଡି ଏକ ବଡ ନିର୍ଣ୍ଣୟ ନେଇଥିବା କହିଛନ୍ତି ସିନ୍ଧିଆ ।

ବିଜେପିରେ ସାମିଲ ହେବା ସହ ସିନ୍ଧିଆ କହିଛନ୍ତି, ଆଜି ମୁଁ ଦୁଃଖିତ ଓ ବହୁତ ବ୍ୟଥିତ ମଧ୍ୟ । କଂଗ୍ରେସ ଦଳ ପୂର୍ବରୁ ଯେଉଁଭଳି ଥିଲା ତାହା ଏବେ ନାହିଁ । ପ୍ରଥମତଃ ବାସ୍ତିବକତାକୁ ଗ୍ରହଣ ନ କରିବା, ଦ୍ୱିତୀୟତଃ ନୂଆ ବିଚାରଧାରା ଓ ନୂଆ ନେତୃତ୍ୱଙ୍କୁ ସୁଯୋଗ ନ ଦେବା । ୨୦୧୮ରେ ଯେତେବେଳେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଢିବା ସହ ଅନେକ ସ୍ୱପ୍ନ ଦେଖିଥିଲା । କିନ୍ତୁ ଏବେ ଏହି ସ୍ୱପ୍ନ ଭାଙ୍ଗି ସାରିଛି । ସରକାର ଗଢିବା ପରେ କଂଗ୍ରେସ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛି ଏପରିକି ଏଭଳି ଦଳରେ ରହି ଜନସେବା କରି ହେବ ନାହିଁ ବୋଲି କହିଛନ୍ତି ସିନ୍ଧିଆ ।

ଏହାସହ ବିଜେପିରେ ସାମିଲ ହୋଇ ଦେଶ ପାଇଁ ସେବା କରିପାରିବି ବୋଲି କହିଛନ୍ତି ସିନ୍ଧିଆ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହା ଜାତୀୟ ସ୍ତରରେ ଏକ ନୂଆ ମଞ୍ଚ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ଜ୍ୟୋତିରାଦିତ୍ୟ ।