ଧର୍ମେନ୍ଦ୍ରଙ୍କୁ ବିଜେପି ଦେଲା ବଡ ଦାୟିତ୍ୱ । ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶର ପ୍ରଭାରୀ ଭାବେ କରିବେ କାର୍ଯ୍ୟ ।

183

କନକ ବ୍ୟୁରୋ : ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି । ୫ଟି ରାଜ୍ୟ ପାଇଁ ପ୍ରଭାରୀଙ୍କ ନାଁ ଘୋଷଣା କରିଛି ଦଳ  । ଆଉ ଏହି ପ୍ରଭାରୀ ତାଲିକାରେ ରହିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ନାଁ ।  ଉତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ ଦାୟିତ୍ୱ ମିଳିଛି । ଧର୍ମେନ୍ଦ୍ରଙ୍କ ସହିତ ୭ ଜଣ ସହ ପ୍ରଭାରୀଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର, ଅର୍ଜୁନ ରାମ ମେଘୱାଲ, ସରୋଜ ପାଣ୍ଡେୟ, ଶୋଭା କରନ୍ଦଲାଜେ, କ୍ୟାପଟେନ ଅଭିମନ୍ୟୁ, ଅନ୍ନପୂର୍ଣ୍ଣା ଦେବୀ ଓ ବିବେକ ଠାକୁରଙ୍କୁ ଉତରପ୍ରଦେଶ ପାଇଁ ସହ -ପ୍ରଭାରୀ ଦାୟିତ୍ୱ ମିଳିଛି । ଯେଉଁମାନେ ଧର୍ମେନ୍ଦ୍ରଙ୍କ ସହ ମିଶି ଉତ୍ତରପ୍ରଦେଶରେ ଦଳର ବିଜୟ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବେ ।

ଜାତୀୟ ରାଜନୀତିରେ ଗୁରୁତ୍ୱ ବହନ କରୁଥିବା ଉତ୍ତରପ୍ରଦେଶ ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ଦାୟିତ୍ୱ ଧର୍ମେନ୍ଦ୍ରଙ୍କୁ ଦିଆଯାଇଛି । ଉତ୍ତରପ୍ରଦେଶରେ ଦଳ ସରକାରରେ ଥିବା ବେଳେ ପୁଣିଥରେ କିଭଳି କ୍ଷମତା ବଜାୟ ରଖିବ ତାହାର ଗୁରୁଦାୟିତ୍ୱ ଏବେ ଧର୍ମେନ୍ଦ୍ରଙ୍କ ଉପରେ । ତେବେ ଧର୍ମେନ୍ଦ୍ରଙ୍କ ପାଇଁ ଉତ୍ତରପ୍ରଦେଶ ଚ୍ୟାଲେଞ୍ଜ ଏତେଟା ସହଜ ହେବନି । କାରଣ ଉତ୍ତରପ୍ରଦେଶରେ ବିଜେପିର ବିଜୟରଥରେ ବ୍ରେକ ଦେବାକୁ ବିରୋଧୀ ମଧ୍ୟ ଋଣନୀତି ପ୍ରସ୍ତୁତ କଲେଣି । ଖାସକରି ଚାଷୀ ଆନ୍ଦୋଳନର ପ୍ରଭାବ ଉତ୍ତରପ୍ରଦେଶରେ ଯଥେଷ୍ଟ ଅଧିକ ପଡିପାରେ । ତେଣୁ ଚାଷୀଙ୍କ ଭୋଟବ୍ୟାଙ୍କକୁ କିଭଳି ବିଜେପି ସପକ୍ଷକୁ ଅଣାଯିବ ତାହା ଧର୍ମେନ୍ଦ୍ରଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ହେବ । ଏହାପୂର୍ବରୁ ବିହାରର ପ୍ରଭାରୀ ଦାୟିତ୍ୱ ତୁଲାଇଛନ୍ତି ଧର୍ମେନ୍ଦ୍ର । ବିହାରରେ ଦଳକୁ ସଫଳତା ମଧ୍ୟ ଭେଟି ଦେଇଛନ୍ତି ଧର୍ମେନ୍ଦ୍ର ।

ଆଗାମୀ ନିର୍ବାଚନ ପାଇଁ ପଞ୍ଜାବ ପ୍ରଭାରୀ ଦାୟିତ୍ୱ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ଦିଆଯାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଉତରାଖଣ୍ଡ ଦାୟିତ୍ୱ, ମଣିପୁର ଦାୟିତ୍ୱରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ରହିଥିବା ବେଳେ ଦେବେନ୍ଦ୍ର ଫଡନଭିସଙ୍କୁ ଗୋଆ ଦାୟିତ୍ୱ ଦିଆଯାଇଛି । ସବୁଠୁ ବଡ କଥା ହେଉଛି, ପଞ୍ଜାବକୁ ଛାଡିଦେଲେ ଅନ୍ୟ ୪ ରାଜ୍ୟରେ ବିଜେପି ସରକାର ରହିଛି । ତେଣୁ ଏହି ୪ ରାଜ୍ୟରେ ପୁଣିଥରେ କିଭଳି ଦଳ କ୍ଷମତା ବଜାୟ ରଖିବ ତାହାର ଗୁରୁଦାୟିତ୍ୱ ଏବେ ପ୍ରଭାରୀଙ୍କ ଉପରେ । ୨୦୨୪ ନିର୍ବାଚନ ପୂର୍ବରୁ ଏହାକୁ ସେମିଫାଇନାଲ ମୁକାବିଲା ଭାବେ ଧରାଯାଉଥିବା ବେଳେ ପ୍ରଭାରୀ କିଭଳି ଦଳକୁ ସଫଳତା ଭେଟି ଦେଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିବ ।