କନକ ବ୍ୟୁରୋ : ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି । ୫ଟି ରାଜ୍ୟ ପାଇଁ ପ୍ରଭାରୀଙ୍କ ନାଁ ଘୋଷଣା କରିଛି ଦଳ । ଆଉ ଏହି ପ୍ରଭାରୀ ତାଲିକାରେ ରହିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ନାଁ । ଉତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ ଦାୟିତ୍ୱ ମିଳିଛି । ଧର୍ମେନ୍ଦ୍ରଙ୍କ ସହିତ ୭ ଜଣ ସହ ପ୍ରଭାରୀଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର, ଅର୍ଜୁନ ରାମ ମେଘୱାଲ, ସରୋଜ ପାଣ୍ଡେୟ, ଶୋଭା କରନ୍ଦଲାଜେ, କ୍ୟାପଟେନ ଅଭିମନ୍ୟୁ, ଅନ୍ନପୂର୍ଣ୍ଣା ଦେବୀ ଓ ବିବେକ ଠାକୁରଙ୍କୁ ଉତରପ୍ରଦେଶ ପାଇଁ ସହ -ପ୍ରଭାରୀ ଦାୟିତ୍ୱ ମିଳିଛି । ଯେଉଁମାନେ ଧର୍ମେନ୍ଦ୍ରଙ୍କ ସହ ମିଶି ଉତ୍ତରପ୍ରଦେଶରେ ଦଳର ବିଜୟ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବେ ।
ଜାତୀୟ ରାଜନୀତିରେ ଗୁରୁତ୍ୱ ବହନ କରୁଥିବା ଉତ୍ତରପ୍ରଦେଶ ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ଦାୟିତ୍ୱ ଧର୍ମେନ୍ଦ୍ରଙ୍କୁ ଦିଆଯାଇଛି । ଉତ୍ତରପ୍ରଦେଶରେ ଦଳ ସରକାରରେ ଥିବା ବେଳେ ପୁଣିଥରେ କିଭଳି କ୍ଷମତା ବଜାୟ ରଖିବ ତାହାର ଗୁରୁଦାୟିତ୍ୱ ଏବେ ଧର୍ମେନ୍ଦ୍ରଙ୍କ ଉପରେ । ତେବେ ଧର୍ମେନ୍ଦ୍ରଙ୍କ ପାଇଁ ଉତ୍ତରପ୍ରଦେଶ ଚ୍ୟାଲେଞ୍ଜ ଏତେଟା ସହଜ ହେବନି । କାରଣ ଉତ୍ତରପ୍ରଦେଶରେ ବିଜେପିର ବିଜୟରଥରେ ବ୍ରେକ ଦେବାକୁ ବିରୋଧୀ ମଧ୍ୟ ଋଣନୀତି ପ୍ରସ୍ତୁତ କଲେଣି । ଖାସକରି ଚାଷୀ ଆନ୍ଦୋଳନର ପ୍ରଭାବ ଉତ୍ତରପ୍ରଦେଶରେ ଯଥେଷ୍ଟ ଅଧିକ ପଡିପାରେ । ତେଣୁ ଚାଷୀଙ୍କ ଭୋଟବ୍ୟାଙ୍କକୁ କିଭଳି ବିଜେପି ସପକ୍ଷକୁ ଅଣାଯିବ ତାହା ଧର୍ମେନ୍ଦ୍ରଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ହେବ । ଏହାପୂର୍ବରୁ ବିହାରର ପ୍ରଭାରୀ ଦାୟିତ୍ୱ ତୁଲାଇଛନ୍ତି ଧର୍ମେନ୍ଦ୍ର । ବିହାରରେ ଦଳକୁ ସଫଳତା ମଧ୍ୟ ଭେଟି ଦେଇଛନ୍ତି ଧର୍ମେନ୍ଦ୍ର ।
भाजपा राष्ट्रीय अध्यक्ष श्री @JPNadda ने उत्तर प्रदेश में होने वाले आगामी विधान सभा चुनाव के लिए प्रभारी एवं सह-प्रभारियों के साथ-साथ संगठन प्रभारियों की नियुक्ति की। pic.twitter.com/PvUWtslBGm
— BJP (@BJP4India) September 8, 2021
ଆଗାମୀ ନିର୍ବାଚନ ପାଇଁ ପଞ୍ଜାବ ପ୍ରଭାରୀ ଦାୟିତ୍ୱ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ଦିଆଯାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଉତରାଖଣ୍ଡ ଦାୟିତ୍ୱ, ମଣିପୁର ଦାୟିତ୍ୱରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ରହିଥିବା ବେଳେ ଦେବେନ୍ଦ୍ର ଫଡନଭିସଙ୍କୁ ଗୋଆ ଦାୟିତ୍ୱ ଦିଆଯାଇଛି । ସବୁଠୁ ବଡ କଥା ହେଉଛି, ପଞ୍ଜାବକୁ ଛାଡିଦେଲେ ଅନ୍ୟ ୪ ରାଜ୍ୟରେ ବିଜେପି ସରକାର ରହିଛି । ତେଣୁ ଏହି ୪ ରାଜ୍ୟରେ ପୁଣିଥରେ କିଭଳି ଦଳ କ୍ଷମତା ବଜାୟ ରଖିବ ତାହାର ଗୁରୁଦାୟିତ୍ୱ ଏବେ ପ୍ରଭାରୀଙ୍କ ଉପରେ । ୨୦୨୪ ନିର୍ବାଚନ ପୂର୍ବରୁ ଏହାକୁ ସେମିଫାଇନାଲ ମୁକାବିଲା ଭାବେ ଧରାଯାଉଥିବା ବେଳେ ପ୍ରଭାରୀ କିଭଳି ଦଳକୁ ସଫଳତା ଭେଟି ଦେଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/19-10.jpg)