କେବେ ପରମ ମିତ୍ର ଥିବା ଟିଆରଏସ ଏବେ ବିଜେପିର ଶତ୍ରୁ, ଜାଣନ୍ତୁ ଶତ୍ରୁତା ପଛର କାରଣ

1,006

କନକ ବ୍ୟୁରୋ : ତେଲେଙ୍ଗାନାର ଟିଆରଏସ୍ ବିଜେପି ମଧ୍ୟରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଉଭୟ ଦଳର ନେତା ପରସ୍ପରକୁ କଡା ସମାଲୋଚନା କରୁଛନ୍ତି । ଦିନେ ବିଜେପି ନେତୃତ୍ୱଧୀନ ଏନଡିଏର ସହଯୋଗୀ ଦଳ ଥିବା ଟିଆରଏସ ଏବେ ପାଲଟିଛି ପରମ ଶତ୍ରୁ । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ବିମାନ ବନ୍ଦର ଆସିନଥିବା ବେଳେ ହାଇଦ୍ରାବାଦରେ ଜାତୀୟ କାର୍ଯ୍ୟକାରିଣୀ ବୈଠକ କରିଛି ବିଜେପି । ୨୦୧୯ ନିର୍ବାଚନ ପରଠୁ ବଢିଛି ଦୁଳ ମଧ୍ୟରେ ଦୂରତା । ନିକଟ ଅତୀତରେ ତେଲେଙ୍ଗାନାରେ କିଛି ନିର୍ବାଚନରେ ବିଜେପିର ବିଜୟକୁ ଗ୍ରହଣ କରିପାରୁନାହାଁନ୍ତି ମୁଖ୍ୟମନ୍ତ୍ରୀ କେସିଆର ।

୨୦୦୯ ଲୋକସଭା ନିର୍ବାଚନରେ ବିଜେପି ନେତୃତାଧିନ ଏନଡିଏର ସହଯୋଗୀ ଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର । ୨୦୧୭ରେ ବି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ମଧ୍ୟ ସହଯୋଗ କରିଥିଲା ଟିଆରଏସ । ହେଲେ ନିକଟରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦରେ ହେଉଥିବା ଦଳର ଜାତୀୟ କାର୍ଯ୍ୟକାରିଣୀରେ ଯୋଗଦେବାକୁ ଯାଇଥିବା ବେଳେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେସିଆର ତାଙ୍କୁ ଭେଟିବାକୁ ଆସିନଥିଲେ । କିନ୍ତୁ ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ ସିହ୍ନାଙ୍କୁ ଆଣିବା ପାଇଁ ପୁରା ମନ୍ତ୍ରୀମଣ୍ଡଳ ସହ ବିମାନବନ୍ଦରରେ ପହଂଚିଯାଇଥିଲେ । ଯାହାକୁ ନେଇ ବିଜେପି କେସିଆର ବିବାଦ ଅଧିକ ଉଗ୍ର ହୋଇଥିଲା ।

୨୦୧୯ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ୩ ଟି ଆସନରେ ଜିତିବାରେ ସକ୍ଷମ ହୋଇଥିବା ବିଜେପି ଏହାର କିଛି ମାସ ପରେ ହୋଇଥିବା ଲୋକସଭା ନିର୍ବାଚନରେ ବିଜେପି ୪ ଟି ଆସନ ଜିତିଥିଲା । ଏହା ପରେ ଦୁଇଟି ବିଧାନସଭା ଉପନିର୍ବାଚନ ଏବଂ ହ୍ରାଇଦ୍ରାବାଦ ମହାନଗର ନିଗମରେ ବିଜେପି ଭଲ ପଦର୍ଶନ କେଉଁଠି ନା କେଉଁଠି କେସିଆରଙ୍କୁ ଚିନ୍ତାରେ ପକାଇଦେଇଥିଲା । ଯାହା ଦୁଇ ଦଳ ମଧ୍ୟରେ ବିବାଦ ବଢାଇଥିଲା । ଏହା ପରେ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକ ହ୍ରାଇଦ୍ରାବାଦରେ କରିବାକୁ ନିଷ୍ପତି, ବିଜେପିର ନଜର ତେଲେଙ୍ଗାନା ଉପରେ ଥିବା ସ୍ପଷ୍ଟ ହୋଇଯାଇଥିଲା । ଆଉ କାର୍ଯ୍ୟକାରିଣୀ ବୈଠକରେ କିଛି ବିଜେପି ନେତା କେସିଆରଙ୍କୁ ଉଦ୍ଧବ ଠାକରେଙ୍କ ସହ ତୁଳନା କରିଥିଲେ । ଆଉ ଏହା ପରେ ଦୁଇ ଦଳର ନେତା ପରସ୍ପର ବିରୋଧରେ କଡା ମନ୍ତବ୍ୟ ଦେବାକୁ ଟିକେବି ପଛାଉନଥିବା ଦେଖିବାକୁ ମିଳିଛି ।