ଭବାନୀପୁର ନିର୍ବାଚନୀ ପ୍ରଚାରରେ ହିଂସାକାଣ୍ଡ । ବିଜେପି-ଟିଏମସି ମଧ୍ୟରେ ରକ୍ତାକ୍ତ ସଂଘର୍ଷ ।

184

କନକ ବ୍ୟୁରୋ : ପଶ୍ଚିମବଙ୍ଗ ଭବାନିପୁର ଉପ-ନିର୍ବାଚନ ପାଇଁ ଶେଷ ହୋଇଛି ନିର୍ବାଚନୀ ପ୍ରଚାର । ତେବେ ପ୍ରଚାରର ଶେଷ ଦିନରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ନିର୍ବାଚନୀ ପ୍ରଚାରବେଳେ ବିଜେପି ଓ ଟିଏମସି କର୍ମକର୍ତ୍ତାଙ୍କ ଭିତରେ ରକ୍ତାକ୍ତ ସଂଘର୍ଷ ବି ଦେଖିବାକୁ ମିଳିଛି । ଏନେଇ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି କହିଛନ୍ତି, ପଶ୍ଚିମବଙ୍ଗରେ ହିଂସା କେବେ ଶେଷ ହେବ ?

ଭବାନୀପୁର ନିର୍ବାଚନୀ ପ୍ରଚାରରେ ହିଂସାକାଣ୍ଡ । ବିଜେପି-ଟିଏମସି ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ପଶ୍ଚିମବଙ୍ଗ, ଭବାନୀପୁର ଉପ-ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ ଭାରତୀୟ ଜନତା ପାର୍ଟି ଓ ତୃଣମୂଳ କଂଗ୍ରେସ ଭିତରେ ରକ୍ତାକ୍ତ ସଂଘର୍ଷ ଦେଖିବାକୁ ମିଳିଛି । ଟିଏମସି କର୍ମକର୍ତାମାନେ ବିଜେପି କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଥିରେ ଅନେକ ବିଜେପି କର୍ମୀ ଆହତ ହୋଇଥିବା ବିଜେପି ଅଭିଯୋଗ କରିଛି । ପ୍ରଚାର ପାଇଁ ଆସିଥିବା ବିଜେପି ରାଷ୍ଟ୍ରିୟ ଉପାଧକ୍ଷ ଦିଲ୍ଲୀପ ଘୋଷଙ୍କୁ ମଧ୍ୟ ତୃଣମୁଳ କଂଗ୍ରେସର କର୍ମକର୍ତାମାନେ ଆକ୍ରମଣ କରିଥିବା ଆଭିଯୋଗ ହୋଇଛି ।

ନିର୍ବାଚନ ପ୍ରଚାର ପାଇଁ ଆସିଥିବା ଦିଲ୍ଲୀପ ଘୋଷଙ୍କୁ ଭବାନୀପୁରରେ ପ୍ରବେଶ କରିବାକୁ ଦେଇ ନଥିଲେ ଟିଏମସି କର୍ମୀ । ତାଙ୍କୁ ଠେଲାପେଲା କରିବା ସହ ହାତ ଉଠାଇବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ଦିଲ୍ଲୀପ ଘୋଷଙ୍କ ସୁରକ୍ଷାକର୍ମୀ ବନ୍ଧୁକ ଦେଖାଇ ଭିଡକୁ ଖାଲି କରୁଥିବା ଦେଖିବାକୁ ମିଳିଛି । ହିଂସାକୁ ନେଇ ଦିଲ୍ଲୀପ ଘୋଷ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ପଶ୍ଚିମବଙ୍ଗରେ ଯେତେବେଳେ ଜନ ପ୍ରତିନିଧି ସୁରକ୍ଷିତ ନାହାନ୍ତି ତେବେ ଜନସାଧାରଣ କେତେ ସୁରକ୍ଷିତ ଅଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେପଟେ ବିଜେପିର ପ୍ରଶ୍ନର ଜବାବ ରଖିଛି ଟିଏମସି । ବିଜେପି ଭବାନୀପୁର ଉପ-ନିର୍ବାଚନ କରାଇ ଦେବାକୁ ଚାହୁଁ ନଥିବା ଦଳ ଦାବି କରିଛି । ଟିଏମସି ନେତା ସୌଗତ ରୟ କହିଛନ୍ତି ବିଜେପି ସବୁବେଳେ ସମସ୍ୟା ସୃଷ୍ଟି କରିବାକୁ ଚେଷ୍ଟା କରୁଛି ଏବଂ ଉପ-ନିର୍ବାଚନ ନହେଉ ବୋଲି ବିଜେପି ଚାହୁଁଛି । ଭବାନିପୁର ନିର୍ବାଚନ ମଣ୍ଡଳିରେ ଆସାନ୍ତା ୩୦ ତାରିଖରେ ମତଦାନ ହେବାକୁ ଯାଉଛି । ୨୦୧୧ ଓ ୨୦୧୬ ରେ ଦୁଇଥର ଏହି ଆସନରୁ ଜିତି ସାରିଛନ୍ତି ମମତା ବାନାର୍ଜୀ । ତେବେ ଦେଖିବାକୁ ବାକିି ରହିଲା ଏଥର ଭବାନିପୁରରୁ କିଏ ବାଜିମାତ କରୁଛି ।