ବିଜେପି-କଂଗ୍ରେସର ହାଇଟେକ୍ ରାଲି : ମୋବାଇଲ-କମ୍ପ୍ୟୁଟର ଜରିଆରେ ମୁହାଁମୁହିଁ ହେବେ ଦୁଇ ଦଳ । ନେତା ରହିବେ, ରାଲି ହେବ କିନ୍ତୁ ରହିବେ ନାହିଁ ଲୋକ ।

385

କନକ ବ୍ୟୁରୋ: ନେତା ରହିବେ, ରାଲି ହେବ । କିନ୍ତୁ ଲୋକ ରହିବେ ନାହିଁ । ଆପଣଙ୍କ ମୋବାଇଲ ଭିତରେ ବା କମ୍ପ୍ୟୁଟର ଭିତରେ ଏହି ରାଲି ଚାଲିବ । ଏହି ଡିଜିଟାଲ ରାଲି ବିିଜେପିର ହାଇଟେକ୍ ପ୍ରଚାରର ଅଂଶବିଶେଷ । ଯେତେବେଳେ ଆସନ୍ତା ୩୦ ତାରିଖରେ ମୋଦି ସରକାରର ଦ୍ୱିତୀୟ ପାଳିକୁ ଗୋଟିଏ ବର୍ଷ ପୁରିବାକୁ ଯାଉଛି । ଏହି ନୂଆ ବ୍ୟବସ୍ଥାରେ ଲୋକଙ୍କର ସମାଗମ ହେବ ନାହିଁ । ନିୟମ ଭଙ୍ଗ ହେବ ନାହିଁ । କିନ୍ତୁ ରାଜନୀତି ଚାଲିବ । ବିଜେପି ଏକା ପଦ୍ଧତିରେ ସଫଳତାର କାହାଣୀ କହିବେ ।

ସେପଟେ କଂଗ୍ରେସ ଏକା ପଦ୍ଧତିରେ ବିଫଳତାର କାହାଣୀ କହିବ । ନରେନ୍ଦ୍ର ମୋଦି କହିବେ ସଫଳତାର କାହାଣୀ । ଏବଂ ସରକାର କିଭଳି ପ୍ରତାରିତ କଲେ ସେ କଥା କହିିବେ ରାହୁଲ ଗାନ୍ଧୀ । ଦୁଇଟି ରାଲିର ପଦ୍ଧତି ଗୋଟେ, ଟାର୍ଗେଟ୍ ଗୋଟେ । ସୂଚନା ଅନୁସାରେ ସାରା ଭାରତରେ ବିଜେପି ପକ୍ଷରୁ ୭୫୦ଟି ଭର୍ଚୁଆଲ ରାଲି ଏବଂ ଏକ ହଜାର ଭର୍ଚୁଆଲ କନ୍ଫରେନ୍ସ କରାଯିବ । ଯେଉଁଥିରେ ରାଷ୍ଟ୍ରୀୟ ଓ ରାଜ୍ୟସ୍ତରୀୟ ନେତା ସାମିଲ ହେବେ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଫେସ୍ବୁକ୍ ଲାଇଭ୍ ଜରିଆରେ କାର୍ଯ୍ୟକ୍ରମର ଉଦ୍ଘାଟନ କରିବେ । ଏହି କ୍ରମରେ କର୍ମକତାଙ୍କ ଉର୍ଦ୍ଦେଶ୍ୟରେ ବିଜେପି ରାଷ୍ଟୀୟ ମହାସଚିବ ଅରୁଣ ସିଂ ଲେଖିଛନ୍ତି ।

ଏଥିରେ ସେ ଲେଖିଛନ୍ତି ‘ଆତ୍ମନିର୍ଭର ଭାରତ’ର ସଂକଳ୍ପ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲିଖିତ ଏକ ଚିଠିକୁ ଦେଶର ୧୦ କୋଟି ଲୋକଙ୍କ ଘରେ ପହଂଚାଇବେ । ବଡ଼ କଥା ହେଉଛି- ଓଡ଼ିଶାରେ ଏହି କାର୍ଯ୍ୟକ୍ରମକୁ ୫ ଲକ୍ଷ ଲୋକଙ୍କ ପାଖରେ ପହଂଚାଇବା ପାଇଁ ଲକ୍ଷ୍ୟ ରଖିଛି ଓଡ଼ିଶା ଶାଖା । ହେଲେ ଏହାକୁ ସମାଲୋଚନା କରିଛି କଂଗ୍ରେସ । ପିସିସି ସଭାପତି କହିଛନ୍ତି- ପ୍ରଚାର ସର୍ବସ୍ୱ ମୋଦି ସରକାର । ଏପଟେ ଆସନ୍ତା ୨୮ ତାରିଖରେ ଅନ୍ଲାଇନ୍ ମାଧ୍ୟମରେ ଏକ ବଡ଼ ଧରଣର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି କଂଗ୍ରେସ । କରୋନା ମୁକାବିଲାରେ ସରକାର କିଭଳି ବିଫଳ ହେଲେ ସେନେଇ ଜନଜାଗରଣ କରିବ କଂଗ୍ରେସ ।