ବିଜେପି ଓ କଂଗ୍ରେସ ରାଜ୍ୟ ସଭାପତିଙ୍କ ଚାଞ୍ଚଲ୍ୟକର ବୟାନ । ଆଗକୁ ବିଜେଡିରେ ହେବ ବିସ୍ଫୋରଣ, ଯୋଗାଯୋଗରେ ଅଛନ୍ତି ଅନେକ ବିଜେଡି ବିଧାୟକ ।

236

କନକ ବ୍ୟୁରୋ: ରାଜ୍ୟ ବିଜେପି ସଭାପତିଙ୍କ ଏକ ବୟାନ ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି । ମନମୋହଲ ସାମଲ କହିଛନ୍ତି, ବିଜେଡିର ସମସ୍ତ ବିଧାୟକ ଅସନ୍ତୁଷ୍ଟ ଅଛନ୍ତି । ଆଉ ସେହି ବିଧାୟକଙ୍କ ସହ ସେ କଥାବାର୍ତା ହେଉଛନ୍ତି । ଖୁବଶୀଘ୍ର ବିଜେଡିରେ ବିସ୍ଫୋରଣ ହେବ । ସେହିଭଳି ପିସିସି ସଭାପତି ବି କହିଛନ୍ତି, ବିଜେଡିର କିଛି ବିଧାୟକ କଂଗ୍ରେସ ସହ ବି ସମ୍ପର୍କରେ ଅଛନ୍ତି । ପ୍ରଶ୍ନ ଉଠୁଛି, ବିରୋଧୀ ନେତାଙ୍କ ଏଭଳି ଦାବିରେ ସତ୍ୟତା ରହିଛି କେତେ ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଏହି ଚାଂଚଲ୍ୟକର ବୟାନ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି । ବିଜେଡିରୁ ନିଲମ୍ବିତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିବା ନେଇ, ବ୍ରହ୍ମପୁରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ ମନମୋହନ ଏହି ଉତ୍ତର ରଖିଥିଲେ । ଭୁବନେଶ୍ୱରରେ ମଧ୍ୟ ସମାନ କଥା ଦୋହରାଇଛନ୍ତି । କହିଛନ୍ତି, କେବଳ ଗୋପାଳପୁର ବିଧାୟକ ନୁହେଁ, ସମସ୍ତ ୧୧୭ ବିଧାୟକଙ୍କ ସହ ସେ କଥାବାର୍ତା ହେଉଛନ୍ତି । ସମସ୍ତେ ଅସନ୍ତୁଷ୍ଟ ଅଛନ୍ତି । ଏଥର ବିଜେଡିର ବିସ୍ଫୋରଣ ହେବ । ମନମୋହନଙ୍କ ପ୍ରତିକ୍ରିୟା ପରେ କଟାକ୍ଷ କରିଛନ୍ତି ବରିଷ୍ଠ ନେତା ଦାମ ରାଉତ ।

ବିଜେଡିର କିଛି ବିଧାୟକ କଂଗ୍ରେସର ଯୋଗାଯୋଗରେ ଥିବା କଥା କହିଛନ୍ତି ଶରତ ପଟ୍ଟନାୟକ । କେତେ ଜଣ ବିଧାୟକ ଯୋଗାଯୋଗରେ ଅଛନ୍ତି କହିନଥିଲେ ବି, ପିସିସି ସଭାପତିଙ୍କ ବୟାନ ରାଜ୍ୟ ରାଜନୀତିକୁ ସରଗରମ କରିଛି ।

ଆଗାମି ନିର୍ବାଚନରେ ବହୁ ବିଜେଡି ବିଧାୟକଙ୍କ ଟିକେଟ କଟିବାର ଆଶଙ୍କା ରହିଛି । ଶାସକ ଦଳ ନିର୍ବାଚନ ମଇଦାନକୁ ନୂଆ ଚେହେରାଙ୍କୁ ଆଣିବାର ସମ୍ଭାବନା ରହିଛି । ଯାହାକୁ ଦୃଷ୍ଟିରେ ରଖି ବିରୋଧୀ ଦଳର ନେତା ଏଭଳି ବୟାନ ଦେଉଥିବା ଆଲୋଚନା ହେଉଛି । ତେବେ ବିରୋଧୀ ନେତାଙ୍କ ଦାବିରେ କେତେ ସତ୍ୟତା ରହିଛି ତାହା ଆଗାମି ଦିନରେ ସ୍ପଷ୍ଟ ହେବ ।