ଭିତରେ ମନ୍ତ୍ରୀ, ବାହାରେ ତାଲା । କୁଚିଣ୍ଡାରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଅଟକ ରଖିଲେ ବିଜେପି ଓ କଂଗ୍ରେସ କର୍ମୀ ।

251

କନକ ବ୍ୟୁରୋ: ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ କରୁଥିବା କଂଗ୍ରେସ ଓ ବିଜେପି କର୍ମୀଙ୍କ ଗତକାଲି ବିଜେଡି କର୍ମୀ ମାଡ ମାରିବା ପ୍ରତିବାଦରେ ଆଜି କୁଚିଣ୍ଡା ବନ୍ଦ ପାଳନ କରୁଥିଲେ ବିରୋଧୀ । ବନ୍ଦ ପାଳନ ଭିତରେ ଆଜି ମନ୍ତ୍ରୀ ଟୁକୁନି ସାହୁ ବିଜୁ ସ୍ୱାସ୍ଥ୍ୟକାର୍ଡ ବାଣ୍ଟିବାକୁ ଯାଇଥିବାବେଳେ ହଟହଟା ହୋଇଛନ୍ତି । ଏଥିସହ ବିଜେପି, କଂଗ୍ରେସ କର୍ମୀଙ୍କ ସହ ମୁହାଁମୁହିଁ ହୋଇଛନ୍ତି ବିଜେଡି କର୍ମୀ ।

ସମୟ ପ୍ରାୟ ସକାଳ ୮ଟା , ସ୍ଥାନ ଥିଲା କୁଚିଣ୍ଡାର ପୂର୍ତ୍ତ ବିଭାଗ ଡାକବଙ୍ଗଳା । ବିରୋଧୀଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ କୁଚିଣ୍ଡା ବନ୍ଦ ପାଳନ ବେଳେ ଡାକବଙ୍ଗଳାରେ ମନ୍ତ୍ରୀ ଟୁକୁନି ସାହୁ ଥିବା ଖବର ପାଇ ତାତି ଯାଇଥିଲେ ବିଜେପି ଓ କଂଗ୍ରେସ କର୍ମୀ । ଦୁଇ ଦଳର ବହୁ କର୍ମୀ ଡାକବଙ୍ଗଳା ନିକଟରେ ପହଁଚି ତାଲା ମନ୍ତ୍ରୀଙ୍କୁ ପକାଇ ଦେଇଥିଲେ । ଆଉ ଡାକବଙ୍ଗଳା ଭିତରେ ଦୀର୍ଘ ୪ଘଣ୍ଟା କାଳ ଫସି ରହିଥିଲେ ମନ୍ତ୍ରୀ ଟୁକୁନି ସାହୁ ।

ମନ୍ତ୍ରୀ ଟୁକୁନି ସାହୁଙ୍କୁ ବିରୋଧୀ ଡାକବଙ୍ଗଳାରେ ତାଲା ପକାଇ ଦେବା ଖବର ସୂଚନା ପାଇବା ପରେ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ବିଜେଡି କର୍ମୀ ପହଁଚିଥିଲେ । ମନ୍ତ୍ରୀଙ୍କୁ ତାଲା ପକାଇବାକୁ ବିରୋଧ କରି ବିଜେଡି କର୍ମୀ ଧାରଣାସ୍ଥଳକୁ ଧସେଇ ପଶିଥିଲେ ବିଜେଡି କର୍ମୀ । ତାପରେ ତିନି ଦଳର କର୍ମୀଙ୍କ ମୁହାଁମୁହିଁ ହୋଇଥିଲେ, ଧସ୍ତାଧସ୍ତି ହୋଇଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୁଲିସ ଲାଠି ମାଡ କରିବା ସହ ବିରୋଧୀ ଦଳର ଶତାଧିକ କର୍ମୀଙ୍କୁ ଉଠାଇ ନେଇଥିଲା । ତାପରେ ଡାକବଙ୍ଗଳାରୁ ବାହାରିଥିଲେ ମନ୍ତ୍ରୀ ଟୁକୁନି ସାହୁ । ତେବେ, ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ପଦରୁ ବହିଷ୍କାର କରାନଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ବିରୋଧୀ ।

ସେପଟେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ନେଇ ବିଜେପି କର୍ମୀଙ୍କ ପ୍ରତିବାଦ ଆନ୍ଦୋଳନ ଜାରି ରଖିଛନ୍ତି । କଳାହାଣ୍ଡିର କୋକସରା ଆଉ ସୋରୋରେ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଏବଂ ମମିତାଙ୍କୁ ନ୍ୟାୟ ପ୍ରଦାନ ନେଇ ଚାଲିଥିବା ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେଉଛି । ହେଲେ ସରକାରୀ ସ୍ତରରେ ଏହାର କୈାଣସି ପ୍ରଭାବ ଦେଖିବାକୁ ମିଳୁନଥିବାରୁ ଜିଲ୍ଲାରୁ ଜିଲ୍ଲାରୁ ଏହି ଆନ୍ଦୋଳନ ବ୍ୟାପିଛି ।