ରାତି ପାହିଲେ ଆସିବ ପିପିଲି ଉପନିର୍ବାଚନ ଫଳାଫଳ: ଠାକୁରଙ୍କ ଶରଣରେ ଗଲେ ବିଜେପି, ବିଜେଡି କର୍ମୀ

175

କନକ ବ୍ୟୁରୋ: ରାତି ପାହିଲେ ପିପିଲି ନିର୍ବାଚନ ଫଳାଫଳ ଆସିବ । ଏହା ପୂର୍ବରୁ ଭଗବାନଙ୍କ ଭରସାରେ ଦୁଇ ରାଜନୈତିକ ଦଳର କର୍ମୀ ଓ ସମର୍ଥକ । ଉଭୟ ବିଜେଡି ଏବଂ ବିଜେପି ପ୍ରାର୍ଥୀଙ୍କ ସମର୍ଥକମାନେ ସଂଧ୍ୟାରେ ଦୀପ ଜାଳ ଠାକୁରଙ୍କ ଆଶିର୍ବାଦ ଭିକ୍ଷା କରିବା ସହ ଭଜନକୀର୍ତ୍ତନ କରିଛନ୍ତି । ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ଦାଣ୍ଡମୁକୁନ୍ଦପୁର ମନ୍ଦିରରେ ସମୂହ ଦୀପ ଦାନ କରିଛନ୍ତି ମହିଳା ସମର୍ଥକ ।

ସେହିପରି ବିଜେପି କର୍ମୀମାନେ ମଂଗଳପୁର ଉତରବାଡ ମା କ୍ଷେତ୍ର ପାଳି ମନ୍ଦିର ଭିତରେ ଖୋଳ କୀର୍ତନ ଧରି ଭଜନ କରିଛନ୍ତି । ନିର୍ବାଚନ ଫଳାଫଳ ଆସିବା ଆଗରୁ ନିଜ ପ୍ରାର୍ଥୀଙ୍କୁ ଜିତାଇବାକୁ ସମର୍ଥକ ଭଗବାନଙ୍କୁ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି । ନିର୍ବାଚନ ତାରିଖ ଘୋଷଣା ହେବା ପରଠୁ ଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ ଦିନ ରାତି ଏକ କରିଦେଇଥିଲେ ଉଭୟ ଦଳର କର୍ମୀ ଓ ସମର୍ଥକ ।

ଏବେ ଭୋଟ ଗଣତିର ରାତିଏ ପୂର୍ବରୁ ଠାକୁରଙ୍କ ଶରଣରେ ଯାଇଛନ୍ତି । ଯେମିତି ସେମାନେ ଯାହା କର୍ମ କରିବା କଥା କରିସାରିଛନ୍ତି, ଏଣିକି ସବୁକିଛି ସେମାନେ ଠାକୁରଙ୍କ ଉପରେ ଛାଡି ଦେଇଛନ୍ତି । ଆସନ୍ତାକାଲି ସକାଳ ୮ଟାରୁ ପିପିଲି ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହେବ ।