କନକ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନକୁ ନେଇ ଯାହା ପୂର୍ବରୁ ଅନୁମାନ କରାଯାଉଥିଲା ତାହା ହିଁ ସତ ହୋଇଛି । ନାମାଙ୍କନ ପାଇଁ ଥିବା ଶେଷ ଦିନରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ୧୧ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

Advertisment

ନାମାଙ୍କନକୁ ନେଇ ଛକାପଂଝା ଭିତରେ ଶେଷ ଦିନରେ ନାମାଙ୍କନ ଭରିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା, ବିଜେପି ପ୍ରାର୍ଥୀ ବିଧାୟକ ପ୍ରଦୀପ ପୁରୋହିତ ଓ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ  । ଜଣେ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଭରିବା ପରେ ଜଣଙ୍କ ପରେ ଜଣେ ପ୍ରାର୍ଥୀ ଯାଇ ନିର୍ଦ୍ଧାରିତ ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି । ତେବେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା, ବିନା ରାଲିରେ ଆସି ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ସମୟରେ ଉଭୟ ଦଳର ପ୍ରାର୍ଥୀଙ୍କ ସହ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ ବି ଶୋଭାଯାତ୍ରା କରିନଥିଲେ । କିନ୍ତୁ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ପିସିସି ସଭାପତିଙ୍କ ସହ ବହୁ ଦଳୀୟ ନେତା ଓ କର୍ମୀଙ୍କୁ ନେଇ ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଛନ୍ତି ।

ବିଜେଡି ଓ ବିଜେପି ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ପୂର୍ବରୁ ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଚଳାଇଥିବା ଚାଷୀଙ୍କୁ ମୁଣ୍ଡିଆ ମାରି ଆର୍ଶୀବାଦ ନେଇଥିଲେ ଦୁଇ ପ୍ରମୁଖ ଦଳର ପ୍ରାର୍ଥୀ । ତେବେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଚାଷୀଙ୍କ ଆର୍ଶୀବାଦ ନେବାବେଳେ ତାଙ୍କୁ ଚାଷୀମାନେ ପରାମର୍ଶ ଦେଇଛନ୍ତି । କହିଛନ୍ତି, ରାଜନୀତିରେ ଏକ ନୂଆ ସଂସ୍କୃତି ଆରମ୍ଭ କରନ୍ତୁ । ମଦ ମାଂସଠୁ ଦୁରେଇ ରହିବା ସହ ଆଦର୍ଶ ଆଚରଣ ବିଧି ମାନନ୍ତୁ । ଚାଷୀଙ୍କୁ ଦୁଇ ନେତା ମୁଣ୍ଡିଆ ମାରୁଥିବାର ଦୃଶ୍ୟ ଚର୍ଚ୍ଚାର ବିଷୟ ହୋଇଛି ।

ଉପନିର୍ବାଚନରେ ବିଜୟୀ ହେବା ପାଇଁ ସବୁ ଦଳର ପ୍ରାର୍ଥୀ ପ୍ରଚାର ଆରମ୍ଭ କରିଥିଲେ ବି ନାମାଙ୍କନ ପରେ ଏହା ଆହୁରି ଜୋରଦାର ହେବ ବୋଲି ଅନୁମାନ କରାଯାଉଛି । ପ୍ରଚାର ଶେଷ ହେବା ପରେ ଆସନ୍ତା ୫ତାରିଖରେ ପଦ୍ମପୁରବାସୀ ବାଛିବେ ସେମାନଙ୍କ ନୂଆ ବିଧାୟକ । ୮ ରେ ସ୍ପଷ୍ଟ ହେବ ପଦ୍ମପୁରବାସୀ କାହାକୁ ବାଛିଛନ୍ତି ନେତା ।