ତାମିଲନାଡୁରେ ଏକାଠି ଲଢିବେ ବିଜେପି ଆଉ ଏଆଇଏଡିଏମକେ । ଘୋଷଣା କଲେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା

281

କନକ ବ୍ୟୁରୋ: ତାମିଲନାଡୁରେ ସାଥୀ ହୋଇ ଲଢିବେ ବିଜେପି ଆଉ ଏଆଇଏଡିଏମକେ । ତାମିଲାନାଡୁ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କେଇ ମାସ ବାକି ଥିବାବେଳେ ଶନିବାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ବିଜେପିି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।
ନଡ୍ଡା ଏବେ ଦିନିକିଆ ଗସ୍ତରେ ତାମିଲାନାଡୁ ଯାଇଛନ୍ତି । ଶନିବାର ମଦୁରାଇରେ ଏକ ଜନସଭାକୁ ସମ୍ବୋଧିତ କରିବା ସମୟରେ ସେ ବିଜେପି ଓ ଏଆଇଏଡିଏମକେ ଏକାଠି ଲଢିବା କଥାର ଖୁଲାସା କରିଛନ୍ତି । ଏହାସହ ଦଳ ଏଥର ଭଲ ପ୍ରଦର୍ଶନ କରିବ ବୋଲି ମଧ୍ୟ ସେ କହିଛନ୍ତି ।

ବିଜେପି ପାଇଁ ତାମିଲନାଡୁର ଏହି ନିର୍ବାଚନ ବେଶ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି । କାହିଁକି ନା ଗତ ନିର୍ବାଚନ ମାନଙ୍କରେ ଦଳ ସେଠାରେ ଭୋଟରଙ୍କ ଆସ୍ଥା ଭାଜନ ହୋଇପାରିନି । ୨୦୧୪ରେ ସାରା ଦେଶରେ ମୋଦୀ ଲହର ଥିବା ପରେ ମଧ୍ୟ ତାମିଲନାଡୁରେ ଦଳ ମାତ୍ର ଦୁଇଟି ଆସନ ଜିତିପାରିଥିଲା । ସେତେବେଳେ ଏଆଇଏଡିଏମକେ ଏନଡିଏଠାରୁ ଅଲଗା ହୋଇ ନିର୍ବାଚନ ଲଢୁଥିଲା । ତାମିଲନାଡୁରେ ଦଳର ଏଭଳି ପ୍ରଦର୍ଶନ ପରେ ବିଜେପି ଶିବିରରେ ଏହାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ଏହାପରେ ଦଳ ୨୦୧୬ ବିଧାନସଭା ଇଲେକ୍ସନରେ ମଧ୍ୟ ସେହି ସମାନ କଥା ଦେଖିଥିଲା । ଦଳ ସେଥର ନିର୍ବାଚନରେ ଗୋଟିଏ ବି ସିଟ୍ ଜିତିପାରିନଥିଲା । ତେଣୁ ଏଥର ଦଳ ଏଆଇଏଡିଏମକେ ସହ ମିଶି ତାମିଲନାଡୁ ହାତେଇବାକୁ ଲକ୍ଷ୍ୟ ରଖିଛି । ଜବାବରେ ଡିଏମକେ ମଧ୍ୟ ତାଙ୍କୁ କଡା ଟକ୍କର ଦେବାକୁ ପୂରା ପ୍ରସ୍ତୁତ ଥିବା ଜଣାପଡିଛି ।

ଏଥର ବିଜେପି ନିଜର ସଙ୍ଗଠନ ସୁଦୃଢ କରିବାକୁ ବେଶ ଗୁରୁତ୍ୱ ଦେଉଛି । କିଛି ଦିନ ତଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାମିଲନାଡୁ ଯାଇ ସେଠାରେ ଦଳୀୟ ନେତାଙ୍କ ସହ କଥା ହୋଇଥିଲେ । ଆଉ ଆଜି ଖୋଦ୍ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାମିଲନାଡୁ ଯାଇ ଏହି ମେଣ୍ଟ ରାଜନୀତି କଥା ପଦାକୁ ଆଣିଛନ୍ତି ।