ବରଗଡର ଜିଲ୍ଲାପରିଷଦ ସଦସ୍ୟାଙ୍କୁ ଲୁଚାଇ ରଖିଥିବା ଘଟଣାରେ ନୂଆମୋଡ । ସଦସ୍ୟା କହିଲେ ଆମକୁ କରାଯାଇନି ଅପହରଣ, ଆମେ ନିଜ ଇଚ୍ଛାରେ ଆସିଛୁ ଭୁବନେଶ୍ୱର

ବିଜେପି ଯେଉଁ ଅଭିଯୋଗ ଆଣିଛି ସବୁ ସଂପୂର୍ଣ୍ଣ ମିଛ

450

କନକ ବ୍ୟୁରୋ: ବରଗଡ଼ ଜିଲ୍ଲାର ଜିଲ୍ଲାପରିଷଦ ସଭ୍ୟାଙ୍କୁ ଲୁଚାଇ ରଖାଯାଇଥିବା ନେଇ ବିଜେପିର ଅଭିଯୋଗ ଆଣିବା ଘଟଣାରେ ଆସିଛି ନୂଆମୋଡ । ଆଜି ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି ସଦସ୍ୟାମାନେ । କହିଛନ୍ତି ସେମାନଙ୍କୁ କେହି ଅପହରଣ କରିଆଣି ନାହାନ୍ତି । ସେମାନେ ନିଜ ଇଚ୍ଛାରେ ଭୁବନେଶ୍ୱର ଆସିଛନ୍ତି । ବିଜେପି ଯେଉଁ ଅଭିଯୋଗ ଆଣିଛି ସବୁ ସଂପୂର୍ଣ୍ଣ ମିଛ । ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାଁରେ ବିଜେପି ଆଣିଥିବା ଅଭିଯୋଗ ମିଛ ବୋଲି ସେମାନେ କହିଛନ୍ତି । ସେମାନେ ବିଜେପିରୁ ଇସ୍ତଫା ଦେଇ ଗତ ମାର୍ଚ ମାସରେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ।

ବରଗଡର ଭେଡ଼େନ ଜୋନ୍-ଟୁ ଜିଲ୍ଲାପରିଷଦ ସଦସ୍ୟା ସୁଷମା ଭୁଏ ଏବଂ ଅତାବିରା ଜୋନ-୧ ର ଜିଲ୍ଲାପରିଷଦ ସଦସ୍ୟ ପାର୍ବତୀ ଭୋଇଙ୍କ ସ୍ୱାମୀ ଏସପିଙ୍କ ନିକଟରେ ସେମାନଙ୍କ ଅପହରଣ ନେଇ ଲିଖିତ ଅଭିଯୋଗ କରିଛନ୍ତି । ଏହି ଜିଲ୍ଲାପରିଷଦ ସଦସ୍ୟାଙ୍କୁ ସୋହେଲା ବୁଲାଇନେବାକୁ କହି ଡ଼ାକି ନେଇ ସେମାନଙ୍କୁ ଲୁଚାଇ ରଖିଥିବା ଅଭିଯୋଗ ହୋଇଥିଲା । ଏପରିକି ସେମାନଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିବାକୁ ଦିଆଯାଉନଥିବା ଅଭିଯୋଗ ହୋଇଛି । ତେବେ ବିଜେପିର ସମସ୍ତ ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି ବରଗଡର ଜିଲ୍ଲା ପରିଷଦ ସଦସ୍ୟା । ଏହାକୁ ନେଇ ଗତକାଲି ରାଜଧାନୀରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ସାଂବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଥିଲେ ।