ସଂସଦରେ ରାହୁଲ ଗାନ୍ଧୀ ବକ୍ତବ୍ୟକୁ ନେଇ ତୁମୁଳ ହଟଗୋଳ । ଦେବତା, ଧର୍ମଗୁରୁଙ୍କ ଫଟୋ ଧରି ଉଠାଇଲେ ଉଗ୍ର ହିନ୍ଦୁତ୍ୱ ପ୍ରସଙ୍ଗ, ବିରୋଧ କଲେ ପ୍ରଧାନମନ୍ତ୍ରୀ ।

163

କନକ ବ୍ୟୁରୋ: ସଂସଦର ଲୋକସଭା ଭବନରେ ଆଜି ଡ୍ରାମାଟିକ୍ ସିନ ଦେଖିବାକୁ ମିଳିଛି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭଗବାନ ଶିବଙ୍କ ଫଟୋ ଦେଖାଇ ମୋଦୀ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ରାହୁଲ ଓ ମୋଦୀ । ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାହୁଲଙ୍କ କହିବା ସମୟରେ ବିରୋଧ କରିଛନ୍ତି । ସମଗ୍ର ହିନ୍ଦୁ ସମାଜକୁ ରାହୁଲ ହିଂସାତ୍ମକ କହିବା ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ବୋଲି କହିଛନ୍ତି ମୋଦୀ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜବାବ ଦେଇ ରାହୁଲ କହିଛନ୍ତି, ବିଜେପି, ଆରଏସଏସ୍ ଏବଂ ମୋଦୀ କେବଳ ହିନ୍ଦୁ ନୁହଁନ୍ତି । ଲୋକସଭାରେ ରାହୁଲ ଶିବଙ୍କ ଫଟୋ ଦେଖାଇ ନଡରିବାକୁ କହିଥିଲେ । ରାହୁଲ କହିଥିଲେ, ହିନ୍ଦୁ ଭୟ ଅବା ଘୃଣା ସୃଷ୍ଟି କରିବାକୁ ଚାହାଁନ୍ତି ନାହିଁ । କିନ୍ତୁ ବିଜେପି ୨୪ ଘଂଟା ଘୃଣା ଓ ଭୟ ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ସେମାନେ କେବେବି ହିନ୍ଦୁ ହୋଇପାରିବେ ନାହିଁ । ଏଭଳି ବୟାନ ନେଇ ରାହୁଲ ଗାନ୍ଧୀଙ୍କୁ କଡା ସମାଲୋଜନା କରିବା ସହ କ୍ଷମା ମାଗିବାକୁ ଦାବି କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।

ଆଜି ଲୋକସଭାରେ ଆରମ୍ଭ ହେବା କ୍ଷଣି ପ୍ରଥମେ ବିରୋଧୀ ନିଟ୍ ପ୍ରଶ୍ନପତ୍ର ଲିକ୍ ଉପରେ ଆଲୋଚନା ପାଇଁ ଦାବି କରିଥିଲେ । ଯାହାକୁ ନେଇ ରାହୁଲ ଗାନ୍ଧୀ ଓ ରାଜନାଥ ସିଂ ମୁହାଁମୁହିଁ ହୋଇଥିଲେ । ରାଜନାଥ ସିଂ କହିଥିଲେ ସଂସଦ ନିୟମ ଓ ପରମ୍ପରା ଅନୁଯାୟୀ ପରିଚାଳିତ ହୁଏ । ଗୃହରେ କୌଣସି ବିଷୟର ଆଲୋଚନା ପୂର୍ବରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା ହେବାର ଆବଶ୍ୟକତା ରହିଥାଏ ।

ସେପଟେ ରାହୁଲ କହିବା ସମୟରେ ତାଙ୍କ ମାଇକ୍ ବନ୍ଦଦେବା ଅଭିଯୋଗକୁ ନେଇ ଉତର ରଖିଛନ୍ତି ବାଚସ୍ପତି ଓମ ବିର୍ଲା । କହିଛନ୍ତି, ଗୃହରେ କେବଳ ଯାହାକୁ କହିବାକୁ ଅନୁମତି ଦିଆଯାଇଥାଏ ତାଙ୍କ ମାଇକ୍ ଅନ ରଖଯାଇଥାଏ ବାକି ସମସ୍ତଙ୍କର ଅଫ ରହିଥାଏ ।