ବରଗଡର ୨ ଜିଲ୍ଲାପରିଷଦ ସଦସ୍ୟାଙ୍କୁ ଲୁଚାଇ ରଖିଥିବା ଅଭିଯୋଗ ଆଣିଲା ବିଜେପି । ଏସପିଙ୍କ ଦୃଷ୍ଟି ଆକର୍ଷଣ କଲେ ବିଜେପି ପ୍ରତିନିଧି ଦଳ

277

କନକ ବ୍ୟୁରୋ: ବରଗଡ଼ ଜିଲ୍ଲାର ଦୁଇ ଜଣ ଜିଲ୍ଲାପରିଷଦ ସଭ୍ୟାଙ୍କୁ ଲୁଚାଇ ରଖାଯାଇଥିବା ଅଭିଯୋଗ ହୋଇଛି । ବିଜେପି ଜିଲ୍ଲାପରିଷଦ ସଦସ୍ୟା ପାର୍ବତୀ ଭୋଇ ଏବଂ ସୁଷମା ଭୁଏଙ୍କୁ ସୋହେଲା ଠାରେ ଲୁଚାଇ ରଖାଯାଇଥିବା ଅଭିଯୋଗ ଆଣିଛି ବିଜେପି । ଏନେଇ ବିଜେପିର ଏକ ପ୍ରତିନିଧି ଦଳ ବରଗଡ଼ ଏସ.ପି ପଦ୍ମିନୀ ସାହୁଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଭେଡ଼େନ ଜୋନ୍-ଟୁ ଜିଲ୍ଲାପରିଷଦ ସଦସ୍ୟା ସୁଷମା ଭୁଏ ଏବଂ ଅତାବିରା ଜୋନ-୧ର ଜିଲ୍ଲାପରିଷଦ ସଦସ୍ୟ ପାର୍ବତୀ ଭୋଇଙ୍କ ସ୍ୱାମୀ ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ।

ଏହି ଜିଲ୍ଲାପରିଷଦ ସଦସ୍ୟାଙ୍କୁ ସୋହେଲା ବୁଲାଇନେବାକୁ କହି ଡ଼ାକି ନେଇ ସେମାନଙ୍କୁ ଲୁଚାଇ ରଖିଥିବା ଅଭିଯୋଗ ହୋଇଛି । ଏପରିକି ସେମାନଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିବାକୁ ଦିଆଯାଉନଥିବା ଅଭିଯୋଗ ହୋଇଛି । ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନିର୍ଦ୍ଦେଶକ୍ରମେ ଉଭୟଙ୍କୁ ବିଜେଡ଼ି ଦଳରେ ଯୋଗଦେବାପାଇଁ ସୋହେଲା ଠାରେ ଲୁଚାଇ ରଖାଯାଇଥିବା ଅଭିଯୋଗ ହୋଇଛି । ଗତ ୪ତାରିଖରୁ ଏଭଳି ଘଟଣା ଘଟିଥିଲେ ବି ଏ ଯାଏଁ ସେମାନେ ଘରକୁ ଫେରିନାହାନ୍ତି ।

କାଲି ଭୁବନେଶ୍ୱରରେ ବି ଏଭଳି ଅଭିଯୋଗ ଆଣିଥିଲା ବିଜେପି । ବରଗଡ ଜିଲ୍ଲାର ଏହି ଜିଲ୍ଲା ପରିଷଦ ସଦସ୍ୟଙ୍କୁ ମନ୍ତ୍ରୀ ସୁଶାନ୍ତ ସିଂହ ଦଳ ବଦଳ କରିବାକୁ ପ୍ରବର୍ତାଉଥିବା ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ଗତ ପଂଚାୟତ ନିର୍ବାଚନରେ ବରଗଡର ମୋଟ୍ ୩୪ଟି ଜିଲ୍ଲା ପରିଷଦ ଆସନରୁ ବିଜେପି ୨୫ଟି ଆସନରେ ବିଜୟଲାଭ କରି ପରିଷଦ ଗଠନ କରିଥିଲା । ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ବିଜେପି ହାତରେ ଅଛି । ତେବେ ଜିଲ୍ଲାର ପ୍ରଶାସନିକ ଅଧିକାରୀ ମାନେ ଅଧ୍ୟକ୍ଷଙ୍କୁ ସହଯୋଗ ନକରି ଅସୁବିଧାରେ ପକାଉଥିବା ଅଭିଯୋଗ କରିଛି ବିଜେପି । ତେବେ ଏ ସମ୍ପର୍କରେ ମନ୍ତ୍ରୀ ସୁଶାନ୍ତ ସିଂହ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।