କନକ ବ୍ୟୁରୋ : ହକି ବିଶ୍ୱକପ ସେଲିବ୍ରେସନ ଆଳରେ ଗ୍ରାମସଭା କରି ହେଉଛି ନବୀନଙ୍କ ପ୍ରଚାର ପ୍ରସାର । ଏଭଳି ସାଂଘାତିକ ଅଭିଯୋଗ ଆଣିଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଓଡ଼ିଶାରେ ହକି ବିଶ୍ୱକପ ହେଉଛି ଏହା ଗୌରବର କଥା । କିନ୍ତୁ ହକିର ପ୍ରଚାର ବଦଳରେ ନବୀନଙ୍କର ପ୍ରଚାର କରିବା ଅତ୍ୟନ୍ତ ନିନ୍ଦନୀୟ । ନବୀନଙ୍କ ମଳିନ ପଡ଼ିଯାଇଥିବା ଛବି ଉପରେ ପରଦା ପକାଇବା ଓ ଦୁର୍ନୀତି, ଭ୍ରଷ୍ଟାଚାର ଉପରେ ଘଣ୍ଟ ଘୋଡାଇବା ପାଇଁ ହକି ବିଶ୍ୱକପ ସେଲିବ୍ରେସନକୁ ଆଳ କରାଯାଉଛି ।

Advertisment

ଏବେ ପ୍ରତି ପଞ୍ଚାୟତରେ ହକି ଖେଳ ପ୍ରଦର୍ଶନ ସହ ସରକାରଙ୍କ ବଡ ଚେହେରାକୁ ଦେଖାଇବା ପାଇଁ ଏଲଇଡି ବ୍ୟବସ୍ଥା କରିଛନ୍ତି ସରକାର । ଯେଉଁ ପୋଷ୍ଟର ହୋଇଛି ସେଥିରେ ହକି ବିଶ୍ୱକପର ମାସ୍କଟ ଠାରୁ ମୁଖ୍ୟମନ୍ତ୍ରୀଙ୍କର ଫଟୋ ଅଧିକ ବଡ କରି ରଖାଯାଇଛି । ପଞ୍ଚାୟତ ଗୁଡିକରେ ଏହି ଫର୍ମାଟରେ ହକି ବିଶ୍ୱକପର ଉଦଘାଟନୀ ପ୍ରଦର୍ଶିତ ହେବ । ଏଥିପାଇଁ ପଞ୍ଚାୟତ ନିଜସ୍ୱ ପାଣ୍ଠିରୁ ୨୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ କୁହାଯାଇଛି । ସେହିଭଳି ପଞ୍ଚାୟତରେ ବିଭିନ୍ନ ସ୍ପୋର୍ଟ୍ସ ଇଭେଣ୍ଟ ପାଇଁ ୧୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗୋଟିଏ ପଟେ ବିକାଶ କାର୍ଯ୍ୟ ପାଇଁ ପଞ୍ଚାୟତରେ ଟଙ୍କାର ଅଭାବ ରହୁଛି ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି । କେନ୍ଦ୍ରୀୟ ଯୋଜନାରେ ଆସୁଥିବା ଟଙ୍କାକୁ ଛାଡିଦେଲେ ରାଜ୍ୟ ପାଖରେ ପଞ୍ଚାୟତର ବିକାଶ ପାଇଁ ଅନ୍ୟ ପାଣ୍ଠିରେ ଟଙ୍କା ନାହିଁ ବୋଲି କହୁଥିବା ବେଳେ ପଞ୍ଚାୟତ ଗୁଡିକ ନିଜସ୍ୱ ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରି ହକି ବିଶ୍ୱକପର ସେଲିବ୍ରେସନ କରିବାକୁ ଯେଉଁ ନିର୍ଦ୍ଦେଶ ଦିଆଯାଇଛି ତାହା ଆଦୌ ଠିକ୍ ନୁହେଁ ବୋଲି ବିଜେପି କହିଛି ।
ହକି ବିଶ୍ୱକପର ସେଲିବ୍ରେସନ କାର୍ଯ୍ୟକ୍ରମ ପାଇଁ ପଞ୍ଚାୟତ ନିଜସ୍ୱ ପାଣ୍ଠିରୁ ଟଙ୍କା ଖର୍ଚ୍ଚ କଲେ ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡିବ । ଏକଥା ଜାଣିବା ପରେ ସରକାର ପଞ୍ଚାୟତରେ ତରବରିଆ ଭାବେ ଗ୍ରାମସଭା ଡକାଇଛନ୍ତି । ଯାହାଦ୍ୱାରା ଏହି ସେଲିବ୍ରେସନ କାର୍ଯ୍ୟକ୍ରମକୁ ନେଇ କେହି ପ୍ରଶ୍ନ ଉଠାଇପାରିବେନି । କାରଣ ଗ୍ରାମସଭାରେ ଏଭଳି କାର୍ଯ୍ୟକ୍ରମ ପାଇଁ ଟଙ୍କା ଖର୍ଚ୍ଚ ହୋଇପାରିବ । ଗ୍ରାମସଭାରେ
ମନରେଗା ଟଙ୍କା, ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ବାବଦରେ ଗ୍ରାମ ସଭାରେ ଆଲୋଚନା ହେବ । ତରବରିଆ ଭାବେ ସଭା ଡାକିଲେ ସଚେତନତା ହୋଇପାରିବ ନାହିଁ ।ଲୋକ ଯୋଗ ଦେଇପାରିବେ ନାହିଁ । ତେଣୁ ତରବରିଆ ଭାବେ କାହିଁକି ଗ୍ରାମସଭା ଡକାଗଲା ତାହା ସରକାର ସ୍ପଷ୍ଟ କରିବା ଦରକାର ବୋଲି ବିଜେପି କହିଛି ।