ପଶ୍ଚିମବଙ୍ଗରେ ଫେରୁନି ଶାନ୍ତି । ରାଜନୈତିକ ହିଂସାକାଣ୍ଡ, ଉତ୍ତେଜନା ପରେ ବିଜେପିର ବନ୍ଦ ଡାକରା । ହିଂସାକୁ ନେଇ ଗୃହ ମନ୍ତ୍ରାଳୟ ଜାରି କଲା ଆଡଭାଇଜରି ।

138

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଫେରୁନି ଶାନ୍ତି । ରାଜନୈତିକ ହିଂସାକାଣ୍ଡ ଏବଂ ଉତ୍ତେଜନା ପରେ ଆଜି ବିଜେପି ପକ୍ଷରୁ ପଶ୍ଚିମବଙ୍ଗରେ ବନ୍ଦ ଡାକରା ଦିଆଯାଇଥିଲା । ସେପଟେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ପଶ୍ଚିମବଙ୍ଗର ପରିସ୍ଥିତି ସମ୍ପର୍କରେ ଅବଗତ କରିଛନ୍ତି ରାଜ୍ୟପାଳ । ଆଉ ରାଜ୍ୟରେ ହେଉଥିବା ହିଂସାକୁ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ଆଡଭାଇଜରି । ଆଡଭାଇଜରିରେ କୁହାଯାଇଛି ପଶ୍ଚିମବଙ୍ଗ ସରକାର ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଦାୟୀ । କିନ୍ତୁ ପରିସ୍ଥିତି ଆୟତରେ ରହିଛି ବୋଲି କହିଛନ୍ତି ପଶ୍ଚିମବଙ୍ଗ ସରକାର ।

ରାଜନୈତିକ ହିଂସା, ଉତ୍ତେଜନା ପରେ ପଶ୍ଚିମବଙ୍ଗ ବନ୍ଦ । ହିଂସା ପରବର୍ତ୍ତୀ ଉତ୍ତେଜନା ପରେ ପଶ୍ଚିମବଙ୍ଗରେ ଆଜି ୧୨ଘଂଟିଆ ବନ୍ଦ ପାଳନ କରିଛି ବିଜେପି । ଟ୍ରେନ ରୋକ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିଜେପି କାର୍ଯ୍ୟକର୍ତା । ବିଜେପିର ବନ୍ଦ ଡାକରାର ପ୍ରଭାବ ଏଠାରେ ଦେଖିବାକୁ ମିଳିଛି । ଦୋକାନ ବଜାର ବନ୍ଦ ରହିଛି । ଅନ୍ୟପଟେ ପରିସ୍ଥିତି ଅଣାୟତ ହେଉଥିବାରୁ କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରିଛନ୍ତି । ହିଂସା ସୃଷ୍ଟିକାରୀ ଏବଂ ପକ୍ଷପାତ ନୀତି ଧରିଥିବା ପୁଲିସ କର୍ମୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ôରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ହିଂସାକାଣ୍ଡ ସମ୍ପର୍କିର୍ତ ବିସ୍ତୃତ ରିପୋର୍ଟ ଦେବାକୁ ରାଜ୍ୟ ପୁଲିସ ମୁଖ୍ୟଙ୍କୁ କୁହାଯାଇଛି ।

ଏହି ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ । ଏଥିସହ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି ରାଜ୍ୟପାଳ । ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ପଶ୍ଚିମବଙ୍ଗର ପରିସ୍ଥିତି ସମ୍ପର୍କରେ ଅବଗତ କରିଛନ୍ତି ରାଜ୍ୟପାଳ । ସେପଟେ ରାଜ୍ୟରେ ହେଉଥିବା ହିଂସାକୁ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ଆଡଭାଇଜରି । ଆଡଭାଇଜରିରେ କୁହାଯାଇଛି ପଶ୍ଚିମବଙ୍ଗ ସରକାର ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଦାୟୀ । କିନ୍ତୁ ପରିସ୍ଥିତି ଆୟତରେ ରହିଛି ବୋଲି କହିଛନ୍ତି ପଶ୍ଚିମବଙ୍ଗ ସରକାର ।

ଅପରପକ୍ଷରେ ଆଜି ସକାଳୁ ଗୃହ ମନ୍ତ୍ରାଳୟରେ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ପଶ୍ଚିମବଙ୍ଗରେ ଲାଗିରହିଥିବା ହିଂସା ସର୍ମ୍ପକରେ ବୈଠକରେ ଗୁରୁତ୍ୱ ଦିଆଯାଇଛି । ଆଜି ବୈଠକ ଚାଲିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହା ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।

ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ(ଟିଏମସି) ଏବଂ ବିରୋଧୀ ଦଳ ବିଜେପିର କାର୍ଯ୍ୟକତାଙ୍କ ମଧ୍ୟରେ ସଂଘର୍ଷ ଓ ଗୁଳିମାଡରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଉତ୍ତର ୨୪ପ୍ରଗଣା ଜିଲ୍ଲାରେ ଘଟିଥିବା ଏହି ହିଂସାକୁ ନେଇ ତୀବ୍ର ଉତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି । ବସିରହାଟରେ ୩ବିଜେପି କାର୍ଯ୍ୟକତାଙ୍କ ଶବକୁ ଶେଷ ଦର୍ଶନ ପାଇଁ ବିଜେପି କାର୍ଯ୍ୟାଳୟକୁ ନିଆଯିବାବେଳେ ରାସ୍ତାରେ ପୋଲିସ ଶବ ଅଟକାଇବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ହଜାର ହଜାର ଲୋକ ରାସ୍ତା ଅବରୋଧ କରିବାରୁ ସ୍ଥିିତି ଜଟିଳ ହୋଇଥିଲା । ଶବକୁ ଦଳୀୟ କାର୍ଯ୍ୟାଳୟକୁ ଯିବାକୁ ଅନୁମତି ନଦେଲେ ରାସ୍ତା ଉପରେ ହିଁ ଶବ ସଂସ୍କାର କରାଯିବ ବୋଲି ବିଜେପି କର୍ମୀ ଚେତାବନୀ ଦେଇଥିଲେ ।