କନକ ବ୍ୟୁରୋ: ବାଣପୁର ଘଟଣାରେ ବିଜେପିକୁ ବିଜେଡିର ଜବାବ୍ । ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଅନେକ ପ୍ରଶ୍ନବାଣ ମାରିଥିବାବେଳେ ଏହାର କଡ଼ା ଜବାବ୍ ରଖିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଧର୍ମେନ୍ଦ୍ରଙ୍କ ଟ୍ୱିଟର ଜବାବ ଦେଇ ପ୍ରଣବ କହିଛନ୍ତି, ‘ଭାଇ, ଆପଣଙ୍କୁ ବୋଧେ ଓଡିଶା ବିଜେପିର ନେତାମାନେ ଅବଗତ କରିନାହାନ୍ତି । ବାଣପୁର ଘଟଣାରେ ଏକ ଜାଲ ଗାଡି ନମ୍ବର ପ୍ଲେଟ ବ୍ୟବହାର ହୋଇଥିଲା, ଯେଉଁଥିପାଇଁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଜାଲିଆତିର ସଂଗୀନ ଦଫାରେ ପୁଲିସ ମାମଲା ରୁଜୁ କରିସାରିଛି।
ଉତ୍ତର ପ୍ରଦେଶ ଓ ବିହାର ଭଳି ରାଜ୍ୟମାନଙ୍କରେ ଯେଉଁଭଳି ଭାବେ ମାତ୍ରାଧିକ ପରିମାଣର ହିଂସା ହେଉଛି, ତାହାକୁ ଓଡ଼ିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟ ସହିତ ତୁଳନା କରିବା ନିନ୍ଦନୀୟ । ଏମିତି ଓଡ଼ିଶା ଏବଂ ଓଡିଶାବାସୀଙ୍କୁ ନିନ୍ଦିତ କରିବା ଅନୁଚିତ । ସବୁ ଘଟଣାରେ ଓଡିଶା ପୁଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । କିନ୍ତୁ ଆପଣଙ୍କୁ ବୋଧହୁଏ ଓଡିଶା ବିଜେପି ନେତାମାନେ ଅବଗତ କରୁନାହାନ୍ତି।’ ଏମିତି କିଛି ଟ୍ୱିଟରରେ ଜବାବ୍ ରଖିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।