କନକ ବ୍ୟୁରୋ : ସୋମବାର ନବୀନ ନିବାସରେ ବସିଥିବା ବିଜେଡି ପର୍ଯ୍ୟବେକ୍ଷକଙ୍କ ବୈଠକକୁ ନେଇ ଚାଲିଛି କଳ୍ପନା ଜଳ୍ପନା । ଯଦିଓ ବୈଠକ ଶେଷ ହେବା ପରେ ଦଳର ଉପସଭାପତି ବାହାରି ଗଣମାଧ୍ୟମକୁ ସୂଚନା ଦେଇଥିଲେ । କିନ୍ତୁ କମ୍ କହି, ଅଧିକ ଚାପି ଦେଇଥିବା ଚର୍ଚ୍ଚା ମଧ୍ୟ ହେଉଛି । କୁହାଯାଉଛି ରାଜ୍ୟରେ ଆଗୁଆ ନିର୍ବାଚନ ହେବନାହିଁ ବୋଲି ବିଜେଡି ସୁପ୍ରିମୋ ନେତାମାନଙ୍କୁ ସ୍ପଷ୍ଟ କରିଦେଇଛନ୍ତି । ଅର୍ଥାତ ନିର୍ଦ୍ଧାରିତ ସମୟରେ ନିର୍ବାଚନ ହେଲେ, ଚିରାଚରିତ ଢଙ୍ଗରେ ନେତାଙ୍କୁ ଲୋକଙ୍କ ପାଖକୁ ଯିବାକୁ ହେବ । ଯେଉଁଥିପାଇଁ ପୂର୍ବବର୍ଷ ପରି ଗାନ୍ଧୀ ଜୟନ୍ତୀରୁ ପଦଯାତ୍ରା କରିବାକୁ ନେତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଏବେ ପ୍ରଶ୍ନ ଉଠୁଛି କେଉଁ ଆଧାରରେ ଲୋକଙ୍କ ପାଖକୁ ଯିବେ ନେତା ? ଦୀର୍ଘଦିନ ହେଲା ମଂଚରେ ଦେଖା ଯାଉନଥିବା ଜନପ୍ରତିନିଧି ଭୋଟରଙ୍କ ଭରସା ଜିତି ପାରିବେ ତ?

Advertisment

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜିଲ୍ଲାକୁ ଜିଲ୍ଲା ଗସ୍ତ କରୁଥିଲେ ଫାଇଭ-ଟି ସଚିବ । ଗ୍ରିଭାନ୍ସ ଲିଷ୍ଟରେ କୁହାଯାଉଛି ନିର୍ବାଚନ ପୂର୍ବରୁ ଲୋକଙ୍କୁ ଦିଆଯାଇଥିବା ଦଳୀୟ ପ୍ରତିଶ୍ରୁତି ପୂରଣ କରିବାକୁ ଜିଲ୍ଲା ବୁଲିବା ସହ ଲୋକଙ୍କ ସମସ୍ୟା ଶୁଣି ସମାଧାନର ପ୍ରତିଶ୍ରୁତି ଦେଇଛନ୍ତି । ମିଳିଥିବା ତଥ୍ୟ ଅନୁସାରେ ଫାଇଭ-ଟି ସଚିବ ତାଙ୍କ ଗସ୍ତ ସମୟରେ ୩୦ ଜିଲ୍ଲାରୁ ମୋଟ୍ ୫୩ ହଜାର ୯୫୩ ଅଭିଯୋଗପତ୍ର ପାଇଛନ୍ତି । ଏଥିରୁ ୩୧ ହଜାର ୨୩୫ଟିର ସମାଧାନ ହୋଇଥିବାବେଳେ ୨୨ ହଜାର ୭୧୮ଟି ଅଭିଯୋଗ ପୂରଣ ହେବାକୁ ବାକି ରହିଛି । ନଜର ପକାନ୍ତୁ କିଛି ଜିଲ୍ଲାର ଏହି ତଥ୍ୟ ଉପରେ-

ସିଏମଓ ଜନଶୁଣାଣି
ଜିଲ୍ଲା ଅଭିଯୋଗ ସମାଧାନ ବକେୟା
ଗଞ୍ଜାମ ୬,୫୪୮ ୨୮୮ ୨,୬୮୮
କଟକ ୨,୭୭୦ ୨,୦୫୭ ୮୧୭
ବଲାଙ୍ଗିର ୩,୫୧୫ ୧,୫୦୦ ୨,୦୧୫
ମୟୂରଭଞ୍ଜ ୪,୫୩୫ ୬୩୪ ୩,୯୦୧
ସଚିବ ବଡ ନା ନେତା ବଡ ବିବାଦ ଭିତରେ ନିର୍ବାଚିତ ଜନପ୍ରତିନିଧିି ଏବେ ଭୀଷଣ ଦ୍ୱନ୍ଦ୍ୱରେ ପଡିବା ନେଇ ଆଶଙ୍କା କରାଯାଉଛି । କାରଣ ସଚିବ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇନଥିଲେ ବିଜେଡି ନେତାଙ୍କୁ ହିଁ ଉତର ଦେବାକୁ ପଡିବ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ।

କୁହାଯାଉଛି ନବୀନ ନିବାସରେ ବସିଥିବା ବୈଠକରେ ନେତାଙ୍କ ମନରୁ ଏହି ଦ୍ୱନ୍ଦ୍ୱ ଦୂର କରିବାକୁ ପ୍ରୟାସ କରାଯାଇଛି । ସଂଗଠନକୁ ସଜାଡି ଲୋକଙ୍କ ପାଖରେ ସରକାରଙ୍କ ଲୋକଭିମୁଖୀ କାମକୁ ଅଧିକରୁ ଅଧିକ ପହଂଚାଇବା ପାଇଁ ନେତାଙ୍କୁ ନିର୍ଦ୍ଦେଶ ରହିଛି । ହେଲେ ବିରୋଧୀ ମଧ୍ୟ ଶାସକ ଦଳକୁ ଘେରିବା ପାଇଁ ପୂର୍ବରୁ ମୈଦାନରେ ପ୍ରସ୍ତୁତ ଥିବା ଦାବି କରିଛନ୍ତି ।

କୁହାଯାଉଛି ନିର୍ବାଚନୀ ବର୍ଷରେ ଶାସକ ଦଳ ପାଇଁ ବିରୋଧୀଙ୍କୁ କାଉଂଟର କରିବା ଅପେକ୍ଷା ଜନପ୍ରତିନିଧିଙ୍କୁ ଲୋକଙ୍କ ଭରସା ଜିତିବା ଅଧିକ କଷ୍ଟକର ହୋଇପାରେ ।