ପିପିଲିରେ ବାଜି ମାରିଲା ବିଜେଡି । ୨୦ ହଜାରରୁ ଅଧିକ ଭୋଟରେ ଜିତିଲେ ରୁଦ୍ର ପ୍ରତାପ ମହାରଥୀ ।

191

କନକ ବ୍ୟୁରୋ : ପିପିଲି ଉପନିର୍ବାଚନରେ ବିଜୟ ହୋଇଛି ବିଜେଡି । ପ୍ରାୟ ୨୦ ହଜାରରୁ ଅଧିକ ଭୋଟରେ ବିଜେପି ପ୍ରାର୍ଥୀଙ୍କୁ ପରାଜିତ କରି ବିଜୟୀ ହୋଇଛନ୍ତି ରୁଦ୍ର ମହାରଥୀ । ରୁଦ୍ରଙ୍କ ବିଜୟ ପରେ ବିଜେଡି ଶିବିରରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ବିଜେଡିର ଗଡ ହୋଇ ଆସିଥିବା ପିପିଲିରେ ଏଥର ମଧ୍ୟ ନିଜ ଗଡ ରକ୍ଷା କରିଛି ବିଜେଡି । ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ପରେ ତାଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ନେତା ବାଛିଛନ୍ତି ପିପିଲିର ଜନତା । ଆଉ ଏହା ପ୍ରମାଣିତ କରିଛି ବିରୋଧୀଙ୍କ ତମାମ ଅଭିଯୋଗ ସତ୍ୱେ ଶାସକ ଦଳର ଲୋକପ୍ରିୟତା ଅତୁଟ ରହିଛି ।

ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ମୋଟ ୯୬ ହଜାର ୯୭୨ ଭୋଟ ପାଇଛନ୍ତି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ମିଳିଛି ୭୬ ହଜାର ୫୬ ଖଣ୍ଡ ଭୋଟ । ସେହିପରି ୪ ହଜାର ୨୬୧ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର । ବିଜେଡିର ବାଜିମାତ ପରେ ଟୁଇଟ୍ କରି ପିପିଲିବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିପୁଳ ଜନସମର୍ଥନ ଦେଇଥିବାରୁ ପିପିଲିର ଜନତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି । ଦଳର ସମସ୍ତ କର୍ମୀ ଓ ନେତୃବୃନ୍ଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସୁପ୍ରିମୋ ।

ପିପିଲି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ବିଜୟୀ ହେବା ପରେ ତାଙ୍କ ସମର୍ଥକମାନେ ଖୁସି ମନାଇଛନ୍ତି । ବିଜେଡି କର୍ମୀମାନେ ସ୍ୱର୍ଗତ ପ୍ରଦୀପ ମହାରଥୀ ଓ ରୁଦ୍ର ମହାରଥୀଙ୍କ ଜୟ ଜୟକାର କରିବା ସହ ବିଜୁ ଜନତା ଦଳ ଜିନ୍ଦବାଦର ନାରାବାଜିରେ କମ୍ପୁଛି ସମ୍ପୂର୍ଣ୍ଣ ପିପିଲି ଅଞ୍ଚଳ ।

ପିପିଲିରେ ବିଜେଡିର ବାଜିମାତ୍ । ବଢ଼ିଲା ବିଜେଡିର ଭୋଟ୍, କମିଲା ବିଜେପି । ବିଜେଡି ଉପରେ ଜନସାଧାରଣଙ୍କର କେତେ ଭରସା ରହିଛି, ପିପିଲି ଉପନିର୍ବାଚନ ପୁଣି ଥରେ ତାର ପ୍ରମାଣିତ କରିଛି । ବିରୋଧୀଙ୍କ ବିଭିନ୍ନ ଅଭିଯୋଗ ସତ୍ୱେ ବିଜେଡି ଉପରେ ଅଧିକ ଲୋକଙ୍କ ବିଶ୍ୱାସ ଅତୁଟ ରହିଛି । ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ଏଥର ଢ଼େର ଅଧିକ ଭୋଟ ପାଇଛନ୍ତି ବିଜୁ ଜନତା ଦଳ ପ୍ରାର୍ଥୀ । ଆଉ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ।

ପିପିଲି ଉପ ନିର୍ବାଚନରେ ବିଜେପିକୁ ଅଧିକ କ୍ଷତି ସହିବାକୁ ପଡିଛି । ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ବିରୋଧରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଯେତିକି ଭୋଟ ପାଇଥିଲେ, ଏଥର ତାଙ୍କ ପୁଅ ରୁଦ୍ର ମହାରଥୀଙ୍କ ବିରୋଧରେ ଲଢ଼ି କମ୍ ଭୋଟ୍ ପାଇଛନ୍ତି । ତେବେ ଜନମତକୁ ସମ୍ମାନ ଦେବା ସହ କେଉଁଠି ତ୍ରୁଟି ରହିଲା ଆଗାମୀ ଦିନରେ ସମୀକ୍ଷା କରାଯିବ ବୋଲି କହିଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ।

ପିପିଲି ନିର୍ବାଚନରେ ପ୍ରଥମରୁ ହାତ ଟେକି ଦେଇଥିବା କଂଗ୍ରେସ ଆହୁରି ତଳକୁ ଖସି ଯାଇଛି । ସାଧାରଣ ନିର୍ବାଚନରେ ୯ ହଜାରରୁ ଅଧିକ ଭୋଟ ପାଇଥିବା କଂଗ୍ରେସ ଏଥର ୫ ହଜାର ଭିତରେ ସୀମିତ ରହିଯାଇଛି । ଯାହାକି କଂଗ୍ରେସ ପାଇଁ ଏକ ଭଲ ସଂକେତ ନୁହେଁ ।