ନବୀନଙ୍କ ରାଜ୍ୟସଭା ଫର୍ମୁଲା, କେଉଁ ମାପ କାଠିରେ କିଏ ହେଲା ପାସ୍? ପ୍ରାର୍ଥୀତ୍ୱ ପଛର ସବୁଠାରୁ ବଡ କାରଣ…

1,629

କନକ ବ୍ୟୁରୋ: ସବୁ କଳ୍ପନା ଜଳ୍ପନାର ଘଟିଲା ଅନ୍ତ । ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ସୁବାଷ ସିଂ, ମୁନ୍ନା ଖାଁ, ସୁଜିତ କୁମାର ଓ ମମତା ମହନ୍ତଙ୍କ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟସଭା ପାଇଁ ଖାଲିପଡିଥିବା ୪ ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ବଡ କଥା ହେଉଛି ମୁଖ୍ୟମନ୍ତ୍ରୀ ଘୋଷଣା କରିଥବା ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଓଡିଶାର ସମସ୍ତ ଅଂଚଳକୁ ଦୃଷ୍ଟିରେ ରଖି ଦିଆଯାଇଛି । ପଶ୍ଚିମ ଓଡିଶା, ଦକ୍ଷିଣ ଓଡିଶା, ଉତର ଓଡିଶା, ଏବଂ ଉପକୂଳ ଓଡିଶାରୁ ଜଣେ ଲେଖାଁଏ ପ୍ରାର୍ଥୀ ଦେଇଛନ୍ତି । ସେହିପରି ମୁନ୍ନା ଖାଁ ସଂଖ୍ୟା ଲଘୁ ସଂପ୍ରଦାୟର ହୋଇଥିବା ବେଳେ ମମତା ମହନ୍ତଙ୍କ ନାଁ ଘୋଷଣା କରି ମହିଳା ପ୍ରତିନିଧିତ୍ୱକୁ ବି ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୩ଟି ରାଜ୍ୟ ସଭା ଆସନ ପାଇଁ ବିଜେଡି ପାଖରେ ସଂଖ୍ୟା ଥିବା ବେଳେ ଚତୃର୍ଥ ଆସନ ପାଇଁ ଅତି କମରେ ସାତ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ କରୁଛି । ବଡ କଥା ହେଉଛି, ଚତୃର୍ଥ ପ୍ରାର୍ଥୀ ଭାବେ ମମତା ମହନ୍ତଙ୍କ ନାଁ ଘୋଷଣା କରାଯାଇଛି । ତେବେ ବିଜେଡି ଘୋଷଣା କରିଥିବା ୪ ରାଜ୍ୟସଭା ପ୍ରାର୍ଥୀଙ୍କ ମଧ୍ୟରୁ ସୁବାସ ସିଂ ଏବଂ ମୁନ୍ନା ଖାଁ ଚିହ୍ନା ଚେହେରା ହୋଇଥିବା ବେଳେ ମମତା ମହନ୍ତ ଏବଂ ସୁଜିତ କୁମାର ପୂରା ନୂଆ । ତେବେ ରାଜ୍ୟସଭା ପାଇଁ ବିଜେଡିର ଅନେକ ତୁଙ୍ଗ ନେତାମାନେ ଦାବିଦାର ରହିଥିବା ବେଳେ ସୁଜିତ ଏବଂ ମମତାଙ୍କୁ କାହିଁକି ଭରସିଲେ ସୁପ୍ରିମୋ ଏବଂ ଏହା ପଛରେ କଣ ବଡ କାରଣ ରହିଛି ତାହା ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ ।

୨୦୧୪ ନିର୍ବାଚନ ସମୟରେ ସୁଜିତ କୁମାର ବିଜେଡିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବେଳେ ତାଙ୍କ ଉପରେ ରହିଥିଲା ଅଭିଭକ୍ତ କଳାହାଣ୍ଡି ଜିଲ୍ଲାର ଗୁରୁ ଦାୟିତ୍ୱ । ତେବେ ରାଜ୍ୟସଭାରେ ପଶ୍ଚିମ ଓଡିଶାର ଜଣେ ପ୍ରତିନିଧିତ୍ୱ ରହିବ ବୋଲି କୁହାଯାଉଥିଲା କାହିଁକି ନା ପଶ୍ଚିମ ଓଡିଶାର ୫ରୁ ୫ ଲୋକସଭା ଆସନ ବିଜେପି ହାତରେ ରହିଥିଲା । ଆଉ ଏକ୍ଷେତ୍ରରେ ପରାଜିତ ନେତା ଅନେକ ଦାବିଦାର ରହିଥିଲେ ।  କୌଣସି ବି ପରାଜିତ ନେତାଙ୍କୁ ନବୀନ ରାଜ୍ୟସଭାକୁ ପଠାଇବାକୁ ଚାହୁଁନଥିବା ଏଠାରେ କୁହାଯାଇପାରିବ  । ସେହିଭଳି ସୁଜିତଙ୍କୁ ବିଜେଡି କାହିଁକି ରାଜ୍ୟସଭା ପ୍ରାର୍ଥୀ ଭାବେ ଚୟନ କଲେ ତାର ଯୁକ୍ତି ମଧ୍ୟ ବିଜେଡି ପକ୍ଷରୁ ଦିଆଯାଇଛି । ଅଭିଭକ୍ତ କଳାହାଣ୍ଡିରେ ଦଳୀୟ ସଂଗଠନକୁ ମଜଭୁତ କରିବା ପାଇଁ  ସୁଜିତଙ୍କ ଉଦ୍ୟମ ଉପରେ ଜୋର୍ ଦିଆଯାଇଛି ଏବଂ ସୁଜିତଙ୍କ ଶିକ୍ଷାଗତ ଯୋଗ୍ୟତାକୁ ମଧ୍ୟ ସାମ୍ନାକୁ ଅଣାଯାଇଛି ।

ସୁଜିତ୍ ଅସଫୋର୍ଡ ୟୁନିଭର୍ସିଟିରେ ଏମବିଏ କରିଥିବା ବେଳେ ମାଷ୍ଟର ଇନ ପବ୍ଲିକ୍ ଆଡମିନିଷ୍ଟ୍ରେସନ ହାବାର୍ଡ ୟୁନିଭର୍ସିଟିରେ କରିଛନ୍ତି । ସେହିଭଳି ୨୦୧୪ ନିର୍ବାଚନ ପରବର୍ତ୍ତୀ ପର୍ଯ୍ୟାୟରେ ସୁଜିତ ସରକାରଙ୍କ ପ୍ଲାନିଂ ଡିପାର୍ଟମେଂଟରେ କିଛି ଦିନ କାମ ମଧ୍ୟ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସହ ଥିବା ସୁଜିତଙ୍କ ବେଶ୍  ଭଲ ସଂପର୍କ । ଏପରିକି ୨୦୧୯ ନିର୍ବାଚନର ଠିକ୍ ପୂର୍ବରୁ ତଥା ଜାନୁଆରୀ ମାସରେ ସରକାରୀ ପଦରୁ ଇସ୍ତଫା ଦେଇ ଅଭିଭକ୍ତ କଳାହାଣ୍ଡି ଜିଲ୍ଲାରେ ସୁଜିତ ଦଳ ପାଇଁ କାମ କରିଥିଲେ ।  ଯାହା ଫଳରେ ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ତାଙ୍କୁ ମୁଖ୍ୟ ସଚିବ ରାଙ୍କ ମଧ୍ୟ  ଦେଇଥିଲେ । ତେବେ ଦୁଇଟି ଜିନିଷ ଗୋଟିଏ ଚେହେରାରେ ସାମ୍ନାକୁ ଆଣିଛନ୍ତି ମୁଖ୍ୟମନ୍ତ୍ରୀ । ଅର୍ଥାତ୍ ସ୍ପେଶାଲ କାଉସିଲ ଜରିଆରେ ଟ୍ରାଇବାଲ ଡେଭଲପମେଂଟ ଏବଂ ଅଭିଭକ୍ତ କଳାହାଣ୍ଡିର ଏହି କାର୍ଡ ଅନୁଯାୟୀ ସୁଜିତ କୁମାରଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଚୟନ କରିଛନ୍ତି ନବୀନ ।

ଅନ୍ୟପଟେ, ମମତା ମହାନ୍ତ ହେଉଛନ୍ତି  ବିଜୁ ମହିଳା ଦଳର ଜଣେ ଆଗ ଧାଡିର ନେତ୍ରୀ । ଏବଂ ମମତା ଏସଏସଜି କ୍ଷେତ୍ରରେ  ସବୁଠୁ ଭଲ କାମ କରିଛନ୍ତି । ସବୁଠାରୁ ବଡ କଥା ହେଲା  ୭୦ ଲକ୍ଷ ମହିଳା  ବିଜୁ ଜନତା ଦଳର ଆଜିର ଦିନରେ ବଡ ଭୋଟ ବ୍ୟାଙ୍କ ହିସାବରେ ଚିନ୍ତା କରାଯାଏ । ୨୦୦୦ ମସିହାରୁ ଆରମ୍ଭ ହୋଇଥିବା ଏସଏସଜି  ସବୁବେଳେ ବିଜୁ ଜନତା ଦଳ ପାଇଁ ଭୋଟ୍ ବ୍ୟାଙ୍କ ଭାବେ କାମ କରିଛି ।  ଯାହାକୁ ବିଜେଡି କୌଣସି ବି ପରିସ୍ଥିତିରେ ହରାଇବାକୁ ଚାହିଁବନି ।  ଯେଉଁ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମଙ୍କ କାର୍ଯ୍ୟକାଳ ନିକଟରେ ସରିବାକୁ ଯାଉଛି , ସେ ମଧ୍ୟ ମୟୂରଭଂଜର ଏବଂ ମମତା ମହନ୍ତ ମଧ୍ୟ ମୟୂରଭଂଜର । ତେବେ ମୟୂରଭଂଜ ରାଜନୀତି ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଦୌପଦୀ ମୁର୍ମୁ ବର୍ତ୍ତମାନ ଝାଡଖଣ୍ଡର ରାଜ୍ୟପାଳ ଅଛନ୍ତି ଏବଂ ଗିରିଶ ମୁର୍ମୁ ଜାମ୍ମୁକାଶୀର ଦାୟିତ୍ୱରେ ଅଛନ୍ତି । ତେବେ ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି କି, ମୟୂରଭଂଜର ସଂଗଠନକୁ ସୁଧାରିବା ପାଇଁ ବିଜେଡି ସବୁଠାରୁ ଅଧିକ ଗୁରୁତ୍ୱ ଦେଉଛି । ତେଣୁ ମୟୁରଭଂଜରେ ମହିଳା ସଂଗଠନକୁ ଆହୁରି ମଜଭୁତ କରିବା ପାଇଁ ଏବଂ ଏସଏସଜି କ୍ଷେତ୍ରରେ ଗୋଟିଏ ସ୍ପଷ୍ଟ ବାର୍ତ୍ତା ଦେବା ପାଇଁ ପ୍ରମିଳା ବିଶୋଇଙ୍କ ପରେ ବୋଧହୁଏ ଦ୍ୱିତୀୟ ମହିଳା ଭାବେ ମମତା ମହନ୍ତଙ୍କୁ ରାଜ୍ୟସଭା ପଠାଉଛନ୍ତି ବିଜେଡି ସୁପ୍ରିମୋ ।