କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ଜୋର ଧରିଲାଣି ରାଜନୈତିକ ହିଂସା । କୋଣାର୍କରେ ବିଜେଡି ପାର୍ଟି ଅଫିସ୍ ଜାଳିଦେଲେ ଦୁର୍ବୃତ । ଗୋପ ବ୍ଲକ ମହଲପଡ଼ା ପଂଚାୟତର ରେଢୁଆ ଗାଁରେ ଥିବା ଦଳୀୟ କାର୍ଯ୍ୟାଳୟକୁ ଜାଳି ଦେଇଛନ୍ତି । ବିଳମ୍ବିତ ରାତିରେ ଦୁର୍ବୃତମାନେ ପେଟ୍ରୋଲ ପକାଇ ବିଜେଡି କାର୍ଯ୍ୟାଳୟକୁ ଜାଳି ଦେଇଥିବା ଅଭିଯୋଗ ହୋଇଛି । ବିଜେଡି ସମର୍ଥିତ ପାର୍ଥୀଙ୍କ ସପକ୍ଷରେ ସମର୍ଥନ ବଢୁଥିବାରୁ ବିରୋଧୀ ଏପରି ହିଂସାକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି ।

Advertisment

ଗଜପତି ପାରଳାଖେମୁଣ୍ଡି ଗୋଷାଣୀ ବ୍ଲକ ସରଧାପୁର ଗାଁରେ ରାଜନୈତିକ ହିଂସା । ଜଣେ ସରପଂଚ ପ୍ରାର୍ଥୀଙ୍କୁ ଆକ୍ରମଣ ଅଭିଯୋଗ । ସରପଂଚ ପ୍ରାର୍ଥୀ ସିଏଚ୍ ପ୍ରସାଦ ରାଓ ଗୁରୁତର ଆହତ ହୋଇଛନ୍ତି । ନିର୍ବାଚନ ପାଇଁ ପ୍ରଚାର ଶୋଭାଯାତ୍ରା ଚାଲିଥିବା ବେଳେ ଅନ୍ୟ ଗୋଷ୍ଠୀର ଲୋକେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

ସେହିପରି କଟକ ଜିଲ୍ଲା ନରସିଂହପୁର ଥାନା କାଠଖୁଂଟ ଗାଁରେ ରାଜନୈତିକ ହିଂସା । ସରପଂଚ ପ୍ରାର୍ଥୀ ସୁଶୀଲ କୁମାର ମଲ୍ଲିକଙ୍କ ଘର ଉପରକୁ ବିଳମ୍ବିତ ରାତିରେ ବୋମାମାଡ କରାଯାଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ମଧ୍ୟ ତାଙ୍କ ଗାଡି ଭଙ୍ଗାରୁଜା କରିବା ସହ ଡ୍ରାଇଭରଙ୍କୁ ଧମକ ଦିଆଯାଇଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ । ଦିନକ ପରେ ନିର୍ବାଚନ ଥିବାରୁ ରାଜନୈତିକ ହିଂସାକୁ ନେଇ ରାଜନୀତି ସରଗରମ ହୋଇଛି ।