କନକ ବ୍ୟୁରୋ : ପଞ୍ଚାୟତ ଓ ପୌର ନିର୍ବାଚନ ପରେ ବିଜୁ ଜନତା ଦଳର ମିଶନ ୨୦୨୪ । ଆଗାମୀ ସାଧାରଣ ନିର୍ବାଚନକୁ ଆଖିରେ ରଖି ଦଳ ପ୍ରସ୍ତୁତି ଆରମ୍ଭ କରିଛି । ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ସହ ନବୀନ ନିବାସରେ ୱାନ ଟୁ ୱାନ ଆଲୋଚନା କରି ଗୁରୁମନ୍ତ୍ର ଦେଉଛନ୍ତି ବିଜେଡି ସୁପ୍ରିମୋ । ଦଳ ପ୍ରତି ଜନ ସମର୍ଥନ କିପରି ବଢିବ, ପୌର-ପଂଚାୟତରେ ହୋଇଥିବା ତ୍ରୁଟିର ସୁଧାର କେମିତି କରାଯିବ ତାହାର ସମୀକ୍ଷା କରୁଛନ୍ତି ବିଜେଡି ମୁଖିଆ । ଏହି ସମୀକ୍ଷା ପର୍ବ ପରେ ସାଂଗଠନିକ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯାଉଛି ।

Advertisment

ପଞ୍ଚାୟତ ଓ ପୈାର ନିର୍ବାଚନରେ ବିପୁଳ ସଫଳତା ପରେ ବି ମାନସମନ୍ଥନ ଆରମ୍ଭ କରିଛି ବିଜେଡି । ଉଭୟ ଗାଁ ଓ ସହର ନିର୍ବାଚନ ପରେ ପରେ ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରୁଛି ଦଳ । ବଡ଼ ବିଜୟ ସତ୍ୱେ ଯେଉଁ କିଛି ବ୍ଲକ ଓ ନିର୍ବାଚନ ମଣ୍ଡଳୀରେ ଶାସକ ଦଳ ବ୍ୟାକଫୁଟରେ ରହିଲା, କେଉଁଠି ତ୍ରୁଟି ରହିଲା, ଏହାକୁ କିପରି ସୁଧାରି ହେବ, ପୋଷ୍ଟମର୍ଟମ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କ ସହ ଓାନ ଟୁ ଓାନ କଥା ହୋଇ ସଂଗଠନ ମଜଭୁତ ପାଇଁ ଗୁରୁମନ୍ତ୍ର ଦେଇଛନ୍ତି ନବୀନ । ଏପରିକି ୧୦ ଦିନ ଭିତରେ ପର୍ଯ୍ୟବେକ୍ଷକଙ୍କୁ ସଂଗଠନ ବାବଦରେ ରିପୋର୍ଟ ଦେବା ପାଇଁ କୁହାଯାଇଛି ।
କଣ ରିପୋର୍ଟ ଦେବେ ପର୍ଯ୍ୟବେକ୍ଷକ?
ସଂଗଠନକୁ ମଜଭୁତ ପାଇଁ କଣ ନୂଆ ପ୍ଲାନ ରହିଛି?
ତୃଣମୂଳ ସ୍ତରରେ ଦଳୀୟ ଅନ୍ତଃକନ୍ଦଳ ରହିଛି କି?
ସରକାରୀ ଯୋଜନା ଲୋକଙ୍କ ପାଖରେ କିଭଳି ପହଁଚୁଛି?
ସ୍ଥାନୀୟ ବିଧାୟକ କିଭଳି କାମ କରୁଛନ୍ତି?
ବିଧାୟକଙ୍କ ପ୍ରଦର୍ଶନ କେମିତି ରହିଛି?
ସଂଗଠନରେ ଯେଉଁଠି ତ୍ରୁଟି ରହିଛି ସୁଧାରିବାକୁ କି ପଦକ୍ଷେପ ନିଆଯାଇଛି?
କେନ୍ଦ୍ରାପଡ଼ା, ବାଲେଶ୍ୱର, ନୟାଗଡ଼, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ସୁନ୍ଦରଗଡ଼, ଅନଗୁଳ, ଢେଙ୍କାନାଳ ଜିଲ୍ଲାର ସମୀକ୍ଷା ହୋଇଛି । ୩ ଦିନ ଧରି ନବୀନ ନିବାସରେ ଚାଲିବ ଏହି ସମୀକ୍ଷା ପର୍ବ । ସମୀକ୍ଷା ପରେ ଆରମ୍ଭ ହେବ ସାଂଗଠନିକ ଅଦଳ ବଦଳ ପ୍ରକ୍ରିୟା । ବରିଷ୍ଠ, ଯୁବ, ଅଭିଜ୍ଞ ଓ ମହିଳାଙ୍କୁ ମିଳିବ ସଂଗଠନର ଦାୟିତ୍ୱ । ଏପରିକି ୩୨ ସାଂଗଠନିକ ଜିଲ୍ଲାକୁ ଜୋନ ୱାରି ବିଭକ୍ତ କରି କିଛି ଟାଣୁଆ ଓ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇ ସଂଗଠନକୁ ଶାଣିତ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି ବିଜେଡି ।

ବିଜେଡି ବିଜୟ ପରେ ବି ସମୀକ୍ଷା କରୁଛି, ଯେଉଁ ସ୍ଥାନରେ ପରାଜୟ ହୋଇଛି, ତା’ର କାରଣ ଖୋଜି ୨୦୨୪ ପାଇଁ ପ୍ରସ୍ତୁତ ହେଉଛି । କିନ୍ତୁ ରାଜ୍ୟର ଅନ୍ୟ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ସଂଗଠନକୁ ସୁଧାରିବା ପରିର୍ବତ୍ତେ ଦଳୀୟ ଅନ୍ତକନ୍ଦଳରେ ଘାଂଟି ହେଉଛି । ସେପଟେ ୨୦୨୪ ପାଇଁ ବିଜେପିର କଣ ରଣନୀତି ରହିବ ତାହାକୁ ନେଇ କେନ୍ଦ୍ରୀୟ ନେତ୍ୱତ୍ୱ ଚୁପ ହୋଇ ବସିଛନ୍ତି ।