ଗାନ୍ଧି ଜୟନ୍ତୀରୁ ଜନସଚେତନତା ଅଭିଯାନ ରାଜନୀତି । କରୋନା ସମ୍ପର୍କରେ ସଚେତନ କରିବାକୁ ବିଜେଡିର ଏକ ମାସିଆ କାର୍ଯ୍ୟକ୍ରମ

ସେପଟେ ବିଜେଡିର ଜନସଚେତନତା ଅଭିଯାନକୁ ନେଇ ବର୍ଷିଲା ବିଜେପି ଓ କଂଗ୍ରେସ

100

କନକ ବ୍ୟୁରୋ: ଗାନ୍ଧି ଜୟନ୍ତୀରୁ ବିଜେଡି ଆରମ୍ଭ କରିଛି ଜନସଚେତନତା ପଦଯାତ୍ରା । ମାସେ ଧରି ଚାଲିବ ଏହି କାର୍ଯ୍ୟକ୍ରମ । ଚଳିତ ବର୍ଷ କରୋନା ମହାମାରୀ କାଳରେ ଲୋକଙ୍କୁ ସଚେତନ କରିବାକୁ ବିଜେଡି ପଦଯାତ୍ରାରେ ବାହାରି ମାସ୍କ ପିନ୍ଧିବା, ହାତ ଧୋଇବା, ସମଦୂରତା ରକ୍ଷା କରିବା ନେଇ ଲୋକଙ୍କୁ ସଚେତନ କରିବା ନେଇ ଉଦ୍ୟମ କରିବ । ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ଏହି ଅବସରରେ କରୋନା କଟକଣା ଭିତରେ ଗାନ୍ଧି ଜୟନ୍ତୀ ପାଳନ ସହିତ ପଦଯାତ୍ରା ଆରମ୍ଭ ହୋଇଛି । ମାସେଧରି ଲୋକଙ୍କ ନିକଟକୁ ଦଳର ନେତା ଓ କର୍ମୀ ଯାଇ କରୋନା ନେଇ ସତେଚନ କରାଇବେ ।

ଅକ୍ଟୋବର ୨ ରୁ ନଭେମ୍ୱର ୨ ତାରିଖ ଯାଏଁ, ମାସେ ଧରି ବିଜେଡିର ଏହି ସଚେତନତା ପଦଯାତ୍ରା ଚାଲିବ । ସେପଟେ ଶାସକ ଦଳର ଏପରି ଉଦ୍ୟମକୁ କଡା ସମାଲୋଚନା କରିଛନ୍ତି ବିରୋଧୀ ଦଳ । କରୋନା ଦୁର୍ନୀତିକୁ ଲୁଚାଇବାକୁ ସଚେତନତା ନାଟକ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ବିଜେପି କହିଛି ରାଜ୍ୟ ସରକାର ନିଜର ବିଫଳତା ଘୋଡାଇବାକୁ ଉଦ୍ୟମ କରୁଛନ୍ତି । ଏହା ଜାତିରପିତାଙ୍କ ପ୍ରତି ମଧ୍ୟ ଅପମାନ ବୋଲି କହିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ।