ଗୃହ ଭିତରେ ବିରୋଧୀ, ରାଜ ରାସ୍ତାରେ ଶାସକ । ଆବାସ ଯୋଗାଇବାରେ ପାତରଅନ୍ତରକୁ ନେଇ ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେଡି ।

76

କନକ ବ୍ୟୁରୋ : ମମିତା ମେହେର ପ୍ରସଙ୍ଗରେ ଶାସକ ଦଳକୁ ଘେରିବାକୁ ବିରୋଧୀ ଯୋଜନା କରିଥିବାବେଳେ କାଉଣ୍ଟର କରିବାକୁ ପଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ରର ଅବହେଳା ଅଭିଯୋଗ ଆଣି ପ୍ରତିବାଦ କରିଛି ବିଜେଡ଼ି । ବିଧାନସଭାରୁ ରାଜଭବନ ପର୍ଯ୍ୟନ୍ତ ଶୋଭାଯାତ୍ରା, ବିକ୍ଷୋଭ କରି କେନ୍ଦ୍ର ବିରୋଧରେ ପ୍ରତିବାଦ ଜଣାଇଛନ୍ତି ବିଜେଡି ବିଧାୟକ । କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବାରେ ପାତର ଅନ୍ତର କରିଥିବା ଅଭିଯୋଗ କରିଛନ୍ତି । କହିଛନ୍ତି ୧୩ ଲକ୍ଷ ଘର ଆବଶ୍ୟକତା ଥିବା ବେଳେ କେନ୍ଦ୍ର ଦେଇଛି ମାତ୍ର ୫ଲକ୍ଷ । ବାକି ୮ ଲକ୍ଷ ଘର ଦେବାକୁ ମୁଖ୍ୟମନ୍ତ୍ରୀ ବାରମ୍ବାର ଚିଠି ଲେଖିଲେ ବି କେନ୍ଦ୍ର ଶୁଣୁନି ।

ଗ୍ୟାସ ଦର ବୃଦ୍ଧିକୁ ନେଇ ପ୍ରତିବାଦ କରିବ ବୋଲି ପୂର୍ବରୁ ସୂଚନା ଦେଇଥିଲେ ବି ପରେ ବଦଳି ଯାଇଥିଲା ଶାସକ ଦଳର ରଣନୀତି । ଗ୍ୟାସ ଦର ବୃଦ୍ଧି ବଦଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅବହେଳା ପ୍ରସଙ୍ଗ ଉଠାଇଥିଲେ । ଆଉ ଏ ନେଇ ରାଷ୍ଟ୍ରପତିଙ୍କୁ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଇଛନ୍ତି ।

ସେପଟେ କେନ୍ଦ୍ର ସରକାରଙ୍କ ବିରୋଧରେ ଗାନ୍ଧିମାର୍ଗରେ ଗର୍ଜିଛନ୍ତି ଚାଷୀ । କଟକ ଓ ବରଗଡର ଜିଲ୍ଲାର ଚାଷୀ ସଂଗଠନର ସଦସ୍ୟମାନେ, ଧାନର ଏମଏସପି ବୃଦ୍ଧି ଓ ସ୍ୱାମୀନାଥନ କମିଟି ରିପୋର୍ଟ ଓ କୃଷକ ବୀମା ଲାଗୁ କରିବା ଦାବିରେ ଅହୋରାତ୍ର ଗଣଧାରଣା ଦେଇଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ବିଜେପି ବିଧାୟକମାନେ ଗୃହ ବାହାରେ ପ୍ରତିବାଦ କରିଛନ୍ତି । ମନ୍ତ୍ରୀ ଯେପର୍ଯ୍ୟନ୍ତ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୋଇନାହାନ୍ତି, ସେ ପର୍ଯ୍ୟନ୍ତ ବିଧାନସଭା ପ୍ରବେଶ ପାଇଁ ଅନୁମତି ନଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଛି ବିଜେପି । ଏବଂ ଏଥିପାଇଁ ଆଦେଶନାମା ଜାରି କରିବାକୁ ଦାବି କରିଛି ।