ବ୍ରଜରାଜନଗର ଉପନିର୍ବାଚନ : ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି; ତାଲିକାରୁ ବାଦ ପଡ଼ିଲେ ଅନୁଭବ, ଅରିନ୍ଦମ ରାୟ ସାମିଲ

409

କନକ ବ୍ୟୁରୋ : ବ୍ରଜରାଜନଗର ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି । ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ଦଳ । ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକଙ୍କ ସମେତ ୪୦ ଜଣଙ୍କ ତାଲିକା ପ୍ରକାଶ କରାଯାଇଛି । ହେଲେ ଏମାନଙ୍କ ମଧ୍ୟରେ ନାହିଁ ସାଂସଦ ଅନୁଭବ ମହାନ୍ତଙ୍କ ନାଁ । ପାରିବାରିକ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ଅନୁଭବଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ଦିଆଯାଇଛି ।

ହେଲେ ବଡ଼ କଥା ହେଉଛି ଅଭିନେତାରୁ ରାଜନେତା ପାଲଟିଥିବା ଅରିନ୍ଦମ ରାୟଙ୍କ ଉପରେ ଭରସା କରିଛି ଦଳ । ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଅରିନ୍ଦମଙ୍କୁ ସାମିଲ କରାଯାଇଛି । ଅଭିନେତା ତଥା ରାଜନେତା ଆକାଶ ଦାସ ନାୟକଙ୍କୁ ମଧ୍ୟ ତାଲିକାରେ ସାମିଲ କରିଛି ଦଳ । ଏହି ତାଲିକାରେ ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ପ୍ରତାପ ଦେବଙ୍କ ନାଁ ରହିଛି । ସେହିପରି ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ନବ କିଶୋର ଦାସ, ଦିବ୍ୟଶଙ୍କର ମିଶ୍ର, ସୁଶାନ୍ତ ସିଂହ ଓ ଟୁକୁନି ସାହୁଙ୍କ ପରି ନେତାଙ୍କ ନାଁ ଷ୍ଟାର ପ୍ରଚାରକ ତାଲିକାରେ ରହିଛି । ମେ’ ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ହେବ ।