କନକ ବ୍ୟୁରୋ: ଆଗାମୀ ୧୪ତାରିଖରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ । ଚର୍ଚ୍ଚା ହେଉଛି ନେତାମାନେ ଏକାଠି ହୋଇ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବେ । ସେହିପରି ଡିସେମ୍ବର ୨୬ରେ ହେବାକୁ ଥିବା ବିଜେଡି ପ୍ରତିଷ୍ଠା ଦିବସ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବ । ଏହି ଦିନ ବିଜେଡି କିଛି ବଡ଼ ନିଷ୍ପତି କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଯାହା ରାଜନୈତିକ ମହଲର ଉକ୍ରଣ୍ଠାକୁ ବଢ଼ାଇଦେଇଛି ।

Advertisment

୨୦୨୪ ନିର୍ବାଚନକୁ ଆହୁରୀ ତିନି ମାସ ବାକି । କିନ୍ତୁ ଏବେଠୁଁ ନିର୍ବାଚନ ପାଇଁ ପାଗ ଭିଡ଼ିଲାଣି ଶାସକ ଦଳ । କେମିତି ନିର୍ବାଚନ ଲଢ଼ିବ? ଏବଂ କେଉଁ ରଣନୀତିରେ ମୈଦାନକୁ ଓହ୍ଲାଇବ? ସେ ନେଇ ନୀଳନକ୍ସା ପ୍ରସ୍ତୁତ ହେଲାଣି । ଏହାରି ଭିତରେ ଆସନ୍ତା ୧୪ ତାରିଖରେ ବସୁଛି ବିଜେଡିର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରୀଣି ବୈଠକ । ବୈଠକରେ ଦଳର ଆଭ୍ୟନ୍ତରୀଣ ବ୍ୟାପର ସଂକ୍ରାନ୍ତରେ କିଛି ବଡ଼ ନିଷ୍ପତି ନିଆଯାଇପାରେ ବୋଲି ବିଜେଡି ଶିବିରରେ ଚର୍ଚ୍ଚା ହେଉଛି ।

ଗତ ନଭେମ୍ବର ୨୭ରେ ଭିକେ ପାଣ୍ଡିଆନ ବିଜେଡିରେ ସାମିଲ ହେବା ପରେ ବିଜେଡି କ୍ୟାମ୍ପ ବେଶ ଉତ୍ସାହିତ । ମନ୍ତ୍ରୀ, ବିଧାୟକଙ୍କଠାରୁ ଆରମ୍ଭ କରି ଦଳର ଛାମୁଆ ସଂଗଠନର ନେତା, ନବୀନ ନିବାସରେ ପାଣ୍ଡିଆନଙ୍କୁ ଭେଟୁଛନ୍ତି । କୁହାଯାଉଛି ଡିସେମ୍ବର ୨୬ରେ ହେବାକୁ ଥିବା ଦଳର ପ୍ରତିଷ୍ଠା ଦିବସରେ ପାଣ୍ଡିଆନଙ୍କୁ ଇନଟରଡ୍ୟୁସ୍ କରିବ ଦଳ । ଖୁବ ଧମୁଧାମରେ ପ୍ରତିଷ୍ଠା ଦିବସ ପାଳନ କରିବ ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି । ତେବେ ୨୪ ମୁକାବିଲା ପାଇଁ ରାଜ୍ୟସ୍ତରରୁ ଆରମ୍ଭ କରି ନିର୍ବାଚନ ମଣ୍ଡଳୀ ପର୍ଯ୍ୟନ୍ତ କାର୍ଯ୍ୟକ୍ରମର ଖସଡା ପ୍ରସ୍ତୁତ ହେଉଛି । ଏଥିରେ
- ନବୀନ ଓଡ଼ିଶା ହେବ ପ୍ରମୁଖ ପ୍ରସଙ୍ଗ
- ସରକାରଙ୍କ ଯୋଜନା ନେଇ ଲୋକଙ୍କ ପାଖକୁ ଯିବ ଦଳ
- ନବୀନ ବ୍ରାଣ୍ଡର ପ୍ରଚାର କରିବେ ବିଜେଡି ନେତା
- ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, କାଳିଆ, ମିଶନ ଶକ୍ତି ବଡ଼ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯିବ ଦଳ
- ବିଭିନ୍ନ ପଂଚାୟତରେ ହୋଡିଂ, ବ୍ୟାନର ଓ ବିଭିନ୍ନ କାର୍ଯ୍ୟକ୍ରମରେ ଲୋକଙ୍କୁ ଅବଗତ କରିବ ଦଳ

ବଡ଼ କଥା ହେଉଛି କାର୍ଯ୍ୟକାରିଣୀ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ସଂଙ୍କଳ୍ପ ସହ କିଛି ବଡ଼ ନିଷ୍ପତି ପାରିତ ହୋଇପାରେ୍ । ଯାହା ୨୪ ପାଇଁ ଦଳର ବଡ ଷ୍ଟ୍ରାଟେଜି ବୋଲି କୁହାଯାଉଛି ।