ମନ୍ତ୍ରୀ ଟୁକୁନି ସାହୁଙ୍କୁ ତାଲା ପକାଇବା ଘଟଣା : ଘଟଣାସ୍ଥଳରେ ୩ ଦଳର କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି; ପୋଲିସର ଲାଠି ଚାର୍ଜ

194

କନକ ବ୍ୟୁରୋ : କୁଚିଣ୍ଡା ବନ୍ଦ ବେଳେ ମନ୍ତ୍ରୀ ଟିକୁନି ସାହୁଙ୍କୁ ତାଲା ପକାଇବା ନେଇ ବିଜେଡି, ବିଜେପି ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । ଫଳରେ ପୁଲିସକୁ ମୃଦୁ ଲାଠିଚାର୍ଜ କରିବାକୁ ପଡିଛି । ଆଜି କୁଚିଣ୍ଡା ପିଡବ୍ଲୁଡି ଡାକବଙ୍ଗଳାରେ ମନ୍ତ୍ରୀଙ୍କୁ ତାଲା ପକାଇଦେଇଥିଲେ ବିରୋଧୀ କଂଗ୍ରେସ ଓ ବିଜେପି କର୍ମୀ । ପୁଲିସ ହସ୍ତକ୍ଷେପ ପରେ ତାଲା ଖୋଲିଥିଲା । କିନ୍ତୁ ସେଠାରେ ବିରୋଧୀ ନେତାମାନେ ନାରାବାଜି କରିବା ସହ ଧାରଣାରେ ବସିଥିଲେ । ଏହି ସମୟରେ ମନ୍ତ୍ରୀଙ୍କୁ ତାଲା ପକାଇବାକୁ ବିରୋଧ କରି ବିଜେଡି କର୍ମୀମାନେ ଧାରଣାସ୍ଥଳକୁ ଧସେଇ ପଶିଥିଲେ ।

ଏଠାରେ ୩ ଦଳର କର୍ମୀ ମୁହାଁମୁହିଁ ହୋଇଛନ୍ତି । ଫଳରେ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୁଲିସକୁ ମୃଦୁ ଲାଠିଚାର୍ଜ କରାଯାଇଛି । ଧାରଣାସ୍ଥଳରୁ ଶହେରୁ ଅଧିକ କର୍ମୀଙ୍କୁ ପୁଲିସ ଉଠାଇନେଇଛି । କୁଚିଣ୍ଡାଙ୍କୁ ମନ୍ତ୍ରୀ ବିଜୁ ସ୍ମାର୍ଟ ହେଲଥ କାର୍ଡ ବାଂଟିବାକୁ ଯାଇଥିଲେ । ଏହି ସମୟରେ ବିରୋଧୀଙ୍କ ବିରୋଧର ସମ୍ମୁଖୀନ ହୋଇଛନ୍ତି ମନ୍ତ୍ରୀ । ଗତକାଲି ବିରୋଧୀ କର୍ମୀଙ୍କୁ ବିଜେଡି କର୍ମୀଙ୍କ ମାଡ ପ୍ରତିବାଦରେ ଆଜି କୁଚିଣ୍ଡା ବନ୍ଦ ପାଳନ କରୁଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି । ଗାଡି ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି । ବନ୍ଦ ପାଳନକୁ ଦିନ ୨ଟା ଯାଏଁ ସମର୍ଥନ କରିଛି ବ୍ୟବସାୟୀ ସଂଘ ।