କନକ ବ୍ୟୁରୋ : ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବନି ବିଜେଡି ବିଧାୟକ । ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବିଜେପି ଦଳୀୟ କାର୍ଯ୍ୟକ୍ରମ ଭଳି ଆୟୋଜନ କରାଯାଉଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ । ସାମ୍ୱାଦିକ ସମ୍ମିଳନୀ କରି ଦଳ ପକ୍ଷରୁ କୁହାଯାଇଛି ଯେ, ଯାହା ପରମ୍ପରା ରହିଛି ତାହାର ବ୍ୟତିକ୍ରମ ଦେଖାଯାଉଛି । ଗୃହର ସଦସ୍ୟ ନଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜେ.ପି ନଡ୍ଡାଙ୍କ ଭଳି ବ୍ୟକ୍ତି ବିଶେଷଙ୍କ ଦ୍ଵାରା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନ ଓ ଉଦଯାପନ ପରମ୍ପରାର ଭଙ୍ଗ ବୋଲି ଅଭିଯୋଗ କରିଛି ଦଳ । ଏହି କାର୍ଯ୍ୟକ୍ରମର ଉଦଘାଟନ ମୁଖ୍ୟମନ୍ତ୍ରୀ କି ଗୃହର ବାଚସ୍ପତିଙ୍କ ଦ୍ୱାରା କରାଯିବା ଉଚିତ୍ ବୋଲି ଦଳ ପକ୍ଷରୁ କୁହାଯାଇଛି ।
ସେପଟେ ବିଜେଡି ଅଭିଯୋଗର ଜବାବ ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଛନ୍ତି, ନୁଆ ବିଧାୟକଙ୍କ ତାଲିମ ପାଇଁ କାର୍ଯ୍ୟକ୍ରମ ହେଉଛି । ସବୁ ବିଧାନସଭା ଆରମ୍ଭରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ହେବ। ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ, ଅତିଥି ହିସାବରେ ଆମେ କେନ୍ଦ୍ର ସଂସାଦୀୟ ବ୍ୟାପର ମନ୍ତ୍ରୀଙ୍କୁ ଡାକିଛୁ । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ, ନରସିଂହ ମିଶ୍ର ମଧ୍ୟ ଉପସ୍ଥିତ ରହି ବିଧାୟକ ମାନଙ୍କୁ ଶିକ୍ଷା ଦେବେ । ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ମଧ୍ୟ ଉପସ୍ଥିତ ରହିବେ । ଦଳୀୟ କେମିତି ହେଲା ସେମାନେ କହିବେ, ବିଧାନସଭା ନୀତିନିୟମ ଭିତରେ ଏହି କାର୍ଯ୍ୟକ୍ରମ ହେଉଛି ।