ଜଗତସିଂହପୁରରେ ବିଜେଡି ବନାମ ବିଜେଡି! ମହିଳା ସମାବେଶକୁ ଯିବା ବେଳେ ବିଧାୟିକା ରାଜଶ୍ରୀ ମଲିକଙ୍କୁ ଠେଲାପେଲା, ବିଷ୍ଣୁଙ୍କ ସମର୍ଥକ ଆୟୋଜନ କଲେ ଆଉ ଏକ ସମାବେଶ

56

କନକ ବ୍ୟୁରୋ : ଜଗତସିଂହପୁର ବିଜେଡି ରାଜନୀତି ପୁଣି ଚର୍ଚ୍ଚାକୁ ଆସିଛି । ମୁହାଁମୁହିଁ ହୋଇଛନ୍ତି ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କ ସମର୍ଥକ ଏବଂ ବିଷ୍ଣୁ ଦାସଙ୍କ ସମର୍ଥକ । କୁଜଙ୍ଗରେ ଦଳର ମହିଳା ସମାବେଶ ଚାଲିଥିବା ବେଳେ ରାଜଶ୍ରୀ ହଟାଓ ବୋଲି ନାରାବାଜି କରିଥିଲେ ବିଷ୍ଣୁଙ୍କ ସମର୍ଥକ । ଏପଟେ ଜଗତସିଂହପୁରରେ ବିଷ୍ଣୁଙ୍କ ସମର୍ଥକମାନେ ଆୟୋଜନ କରିଥିଲେ ଆଉ ଏକ ମହିଳା ସମାବେଶ ।

କୁଜଙ୍ଗଠାରେ ଆୟୋଜିତ ବିଜେଡି ମହିଳା ସମାବେଶ ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଜଗତସିଂହପୁର ଜିଲ୍ଲା ବିଜେଡିରେ ଥିବା ଫାଟକୁ ପଦାରେ ପକାଇଛି । ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ପ୍ରଶାନ୍ତ ମୁଦୁଲି, ଜିଲ୍ଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ପାଛୋଟି ଆଣିବାକୁ ଶୋଭାଯାତ୍ରା ବେଳେ ବିଷ୍ଣୁ ଦାସଙ୍କ ସମର୍ଥକମାନେ ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କ ବିରୋଧରେ ନାରାବାଜି କରିଛନ୍ତି । ହୋହଲ୍ଲା ଭିତରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ମଧ୍ୟ ହୋଇଛନ୍ତି ।

ସେପଟେ ଆଉ ୫୦ କିଲୋମିଟର ଦୂର ଜଗତସିଂହପୁରରେ ବିଷ୍ଣୁ ଦାସଙ୍କ ସମର୍ଥକମାନେ ଆୟୋଜନ କରିଥିଲେ ଆଉ ଏକ ମହିଳା ସମାବେଶ । କୁଜଙ୍ଗ ସଭାରେ ଯୋଗ ଦେଇଥିଲେ ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ରାଜ୍ୟ ମହିଳା ବିଜେଡି ସଭାନେତ୍ରୀ ପ୍ରମିଳା ମଲ୍ଲିକ, ବିଧାୟକ ପ୍ରଶାନ୍ତ ମୁଦୁଲି ଏବଂ ତିର୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ । ଏପଟେ କିନ୍ତୁ ଜଗତସିଂହପୁର ସମାବେଶରେ ଥିଲେ ବିଷ୍ଣୁ ଦାସ ଓ ତାଙ୍କ ସମର୍ଥକ ।

ଜଗତସିଂହପୁର ରାଜନୀତିରେ ଏଭଳି ଘଟଣା ଏବେ ରାଜ୍ୟ ରାଜନୀତିରେ ଚର୍ଚାର ବିଷୟ ପାଲଟିଛି । ଗୋଟିଏ ସମୟରେ ଅଳ୍ପ ଦୂରରେ ଦୁଇ ଦୁଇଟି ସମାବେଶ ଓ ବିଷ୍ଣୁ ଦାସ –ରାଜଶ୍ରୀଙ୍କ ଭିତରେ ଏବେ ସମର୍ଥକଙ୍କ ଖୋଲା ଯୁଦ୍ଧ ଦଳକୁ ଅଡୁଆରେ ପକାଇବାର ସମ୍ଭାବନା ସୃଷ୍ଟି କରିଛି ।