କନକ ବ୍ୟୁରୋ : ବିଜେଡି ହାତକୁ ଯାଇଛି ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ । ଦଳର ମାତ୍ର ୭ ଜଣ ସଦସ୍ୟ ରହିଥିଲେ ମଧ୍ୟ ୧୩ଟି ଭୋଟ ପାଇ ବିଜେଡି ପ୍ରାର୍ଥୀ ଗଙ୍ଗାଧର ପୁଆଲା ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ସବୁଠୁ ବଡ଼ କଥା ହେଲା ଭୋଟିଂ ବେଳେ ଅନୁପସ୍ଥିତ ରହିବା ପାଇଁ ଦଳୀୟ ସଦସ୍ୟଙ୍କୁ ବିଜେପି ହ୍ୱିପ୍ ଜାରି କରିଥିବା ବେଳେ ଦୁଇ ଜଣ ହ୍ୱିପ୍ ଅମାନ୍ୟ କରି ଭୋଟ ଦେଇଛନ୍ତି । ସେପଟେ କଂଗ୍ରେସର ୪ ଜଣ ସଦସ୍ୟ କ୍ରସ ଭୋଟିଂ କରିଥିବା ଅଭିଯୋଗ ହୋଇଛି ।
ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନରେ ବିଜେଡିର ବାଜିମାତ୍ । ବିଜେଡିର ୭ ସଦସ୍ୟ ଥିଲେ, ହେଲେ ଦଳୀୟ ପ୍ରାର୍ଥୀ ଗଙ୍ଗାଧର ପୁଆଲାଙ୍କୁ ମିଳିଲା ୧୩ଟି ଭୋଟ । ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା କଂଗ୍ରେସ ପ୍ରାର୍ଥୀ ଆଶୁତୋଷ କିଲକାକୁ ମିଳିଲା ମାତ୍ର ୫ ଜଣ ସଦସ୍ୟଙ୍କ ସମର୍ଥନ ।
ପୂର୍ବରୁ କଂଗ୍ରେସ ହାତରେ ଥିଲା ରାୟଗଡ଼ା ଜିଲ୍ଲା ପରିଷଦ । ଅଧ୍ୟକ୍ଷ ଥିବା ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ପରେ ଏହି ପଦବୀ ପାଇଁ ହୋଇଥିଲା ଉପ ନିର୍ବାଚନ । ନଜର ପକାନ୍ତୁ, ରାୟଗଡ଼ା ଜିଲ୍ଲା ପରିଷଦର ସ୍ଥିତି ଉପରେ । ମୋଟ ସଦସ୍ୟ ସଂଖ୍ୟା ୨୨ । ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ପରେ ୨୧ ଜଣ ସଦସ୍ୟ ଥିଲେ । କଂଗ୍ରେସ ସଦସ୍ୟ – ୧୦ । ବିଜେଡି – ୭, ବିଜେପି – ୪ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଆବଶ୍ୟକ ଥିଲା ୧୧ ଭୋଟ । ଭୋଟ ବେଳେ ଅନୁପସ୍ଥିତ ରହିବାକୁ ୪ ଜଣ ଦଳୀୟ ସଦସ୍ୟଙ୍କୁ ହ୍ୱିପ୍ ଜାରି କରିଥିଲା ବିଜେପି । ତେବେ ହ୍ୱିପ୍ ନମାନି ୨ ଜଣ ବିଜେପି ସଦସ୍ୟ ନିର୍ବାଚନରେ ଭାଗ ନେଇଥିଲେ । ସେହିପରି କଂଗ୍ରେସର ୧୦ ଜଣ ସଦସ୍ୟ ଥିଲେ ବି ଦଳୀୟ ପ୍ରାର୍ଥୀ ଆଶୁତୋଷ କିଲକାଙ୍କୁ ମିଳିଛି ମାତ୍ର ୫ଟି ଭୋଟ । ଗୋଟିଏ ଭୋଟ ନାକଚ ହୋଇଥିବାରୁ ୪ ଜଣ କଂଗ୍ରେସ କଂଗ୍ରେସ ସଦସ୍ୟ କ୍ରସ ଭୋଟିଂ କରିଥିବା ଅଭିଯୋଗ ହୋଇଛି । ସେପଟେ ସରକାରୀ କଳର ଅପବ୍ୟବହାରର ଅଭିଯୋଗ ଆଣିଛନ୍ତି ଉଭୟ କଂଗ୍ରେସ ଓ ବିଜେପି ।ହ୍ୱିପ୍ ଅମାନ୍ୟ କରି ବିଜେପିର ଦୁଇ ସଦସ୍ୟ ଭୋଟ ଦେବାକୁ ଯିବା ବେଳେ, ଏହାର ପ୍ରତିବାଦ କରିଥିଲା ବିଜେପି ।