ବିଜେଡି ମୁଣ୍ଡରେ ତିର୍ତ୍ତୋଲ ତାଜ୍ । ତିର୍ତ୍ତୋଲରେ ପୁଣି ଗଡିଲା ବିଜେଡିର ‘ବିଜୟ’ ରଥ । ଶୁଭିଲା ‘ଶଙ୍ଖ’, ମଉଳିଲା ‘ପଦ୍ମ’, ହଜିଗଲା ‘ହାତ’ ।

506

କନକ ବ୍ୟୁରୋ : ତିର୍ତ୍ତୋଲରେ ମଉଳିଗଲା ‘ପଦ୍ମ’, ଶୁଭିଲା ଶଙ୍ଖ । ବିରୋଧୀ ବିଜେପି ଓ କଂଗ୍ରେସକୁ ପଛରେ ପକାଇ ତିର୍ତ୍ତୋଲରେ ବିଜୟବାନା ଉଡାଇଛି ବିଜେଡି । ବିଜେଡି ହାତରେ ଥିଲା, ବିଜେଡି ହାତରେ ରହିଲା । ତିର୍ତ୍ତୋଲ ଉପ-ନିର୍ବାଚନରେ ପୁଣି ଥରେ ବାଜିମାତ୍ କରିଛି ବିଜେଡି । ଜଗତସିଂହପୁରର ତିର୍ତ୍ତୋଲ ଗଡ଼କୁ ଅତୁଟ ରଖିଛନ୍ତି ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ । କମ୍ କଥା କହୁଥିବା ଏହି ଯୁବ ନେତା, ଭୋଟରଙ୍କ ଆସ୍ତା ଭାଜନ ହେବାରେ ସଫଳ ହୋଇଛନ୍ତି ।

ତିର୍ତ୍ତୋଲର ଫଳାଫଳ ହୁଏତ ସ୍ୱାଭାବିକ୍ ଥିଲା । କାରଣ ଦିଗଙ୍ଗତ ନେତା ବିଷ୍ଣୁ ଦାସଙ୍କ ବର୍ଷ ବର୍ଷର ପରିଶ୍ରମ, ପୁଅ ବିଜୟ ଶଙ୍କର ଦାସଙ୍କ ପାଇଁ ଆର୍ଶିବାଦ ଭାବେ କାମ ଦେଇଛି । ଆଉ ଏଭଳି ସ୍ଥିତିରେ ବିଜେଡିର ତିର୍ତ୍ତୋଲ ଗଡ଼କୁ ଭେଦ କରିବା କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକ ଏବଂ ବିଜେପି ପ୍ରାର୍ଥୀ ରାଜ କିଶୋର ବେହେରାଙ୍କ ପାଇଁ ଏତେ ସହଜ ନଥିଲା ।

ତିର୍ତ୍ତୋଲ ଉପରେ ବିଜେଡିର ଏତେ ବିଶ୍ୱାସ ଥିଲା ଯେ, ବିଜେଡିର ନେତା, ବିଧାୟକ, ମନ୍ତ୍ରୀ ବାଲେଶ୍ୱରରେ ଡେରା ପକାଇଥିଲେ । ଆଉ ବିଜେଡିର ସ୍ଥାନୀୟ ନେତା ଓ କର୍ମୀ, ଦଳର ଏହି ବିଶ୍ୱାସକୁ ଅତୁଟ ରଖିଛନ୍ତି । କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାର ଆଉ ଏକ ପ୍ରମାଣ ହୋଇ ଆସିଛି ଉପ-ନିର୍ବାଚନ ଫଳାଫଳ ।

ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କଠାରୁ ବହୁ ଦୂରରେ ରହିଛନ୍ତି, କଂଗ୍ରେସ ଓ ବିଜେପି ପ୍ରାର୍ଥୀ । ଭୋଟ୍ ବ୍ୟବଧାନରେ ବିଜେଡି ପ୍ରାର୍ଥୀ, ହିମାଂଶୁ ମଲ୍ଲିକ ଓ ରାଜ କିଶୋର ବେହେରାଙ୍କୁ ବେଶ ପଛରେ ପକାଇ ଦେଇଛନ୍ତି । ଆନୁଷ୍ଠାନିକ୍ ଫଳାଫଳ ଆସିବା ପୂର୍ବରୁ, ଏହା ସ୍ପଷ୍ଟ ହୋଇସାରିଥିଲା ଯେ, ତିର୍ତ୍ତୋଲରେ ବିଜେଡି ବିଜୟର ବାନା ଉଠାଉଛି ।

୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଥିବା ବିଷ୍ଣୁ ଦାସ, ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇଙ୍କୁ ୪୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ । ଆଉ ୨୦୨୦ ଉପ-ନିର୍ବାଚନରେ ବିିଜେଡି ପ୍ରାର୍ଥୀଙ୍କ ଭୋଟ୍ ବ୍ୟବଧାନ ବି କମ୍ ନୁହେଁ ।