ପିପିଲି ବାଜି ଜିତିଲା ବିଜେଡି । ୨୦ ହଜାରରୁ ଅଧିକ ଭୋଟରେ ଆଶ୍ରିତଙ୍କୁ ମାତ୍ ଦେଲେ ରୁଦ୍ର ।

213

କନକ ବ୍ୟୁରୋ : ପୁଣି ପିପିଲିରେ ଉଡିଲା ବିଜେଡିର ବିଜୟ ବାନା, ଗଡିଲା ରୁଦ୍ରଙ୍କ ବିଜୟ ରଥ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ  ୨୦ ହଜାରରୁ ଅଧିକ ଭୋଟରେ ମାତ୍ ଦେଇ ପିପିଲି ବାଜି ଜିତିଛନ୍ତି ଜୁନିୟର ମହାରଥୀ । ଏପରିକି ୨୦୧୯ ତୁଳନାରେ ଅଧିକ ଭୋଟରେ ବିଜୟୀ ହୋଇ ରୁଦ୍ର ନୂଆ ଇତିହାସ ରଚିଛନ୍ତି । ଏହାସହ ବିଜେଡି ଗଡ ପିପିଲି ଗଡ ଅକ୍ତିଆର କରିବାକୁ ବିଜେପି ଯେଉଁ ସ୍ୱପ୍ନ ଦେଖିଥିଲା ତାହା ଅଧୁରା ରହିଛି । ପ୍ରଥମ ପଦାର୍ପଣରେ ପିପିଲି ଭଳି ହାଇଭୋଲଟେଜ ଆସନରେ ବିଜୟଲାଭ କରି ବିଜେଡିକୁ ବଡ ଭେଟି ଦେଇଛନ୍ତି ରୁଦ୍ର ।ଏନେଇ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।

ମୋଟ ୨୫ଟି ରାଉଣ୍ଡ ଭୋଟ ଗଣତି ହୋଇଥିବା ବେଳେ ମାତ୍ର ୪ଟି ରାଉଣ୍ଡରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଆଗୁଆ ରହିଥିବା ବେଳେ ବଳକା ୨୧ଟି ରାଉଣ୍ଡରେ ଆଗୁଆ ରହିଥିଲେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ପ୍ରଥମରୁ ୧୮ଟି ରାଉଣ୍ଡ ପର୍ଯ୍ୟନ୍ତ ଆଗରେ ରହି ବିଜେଡିର ବିଜୟକୁ ନିଶ୍ଚିତ କରିଥିଲେ ରୁଦ୍ର । ତେବେ ଏହାପରେ କିଛି ରାଉଣ୍ଡରେ ଆଶ୍ରିତ ଆଗୁଆ ରହିଥିଲେ ମଧ୍ୟ ଏହା ଫଳାଫଳକୁ ପ୍ରଭାବିତ କରିପାରିନଥିଲା । କାରଣ ସେତେବେଳକୁ ବିଜେଡି-ବିଜେପି ମଧ୍ୟରେ ଭୋଟ ବ୍ୟବଧାନ ଯଥେଷ୍ଟ ଅଧିକ ହୋଇ ସାରିଥିଲା ।

ସେହିଭଳି କଂଗ୍ରେସ ପ୍ରାର୍ଥୀ ପ୍ରଥମରୁ ହିଁ ପଛରେ ରହି ଆସିଥିଲା । କୌଣସି ଗୋଟିଏ ବି ରାଉଣ୍ଡରେ ଦଳ ୩ ଅଙ୍କରୁ ଅଧିକ ଭୋଟ ହାସଲ କରିପାରିନଥିଲା । ଯାହା ଦଳକୁ ପ୍ରଥମରୁ ବ୍ୟାକଫୁଟକୁ ଠେଲି ଦେଇଥିଲା । ଏବେ ଏହି ବିଜୟ ସହ ବିଜେଡିର ପିପିଲି ଗଡକୁ ରକ୍ଷା କରିବାରେ ସଫଳ ହୋଇଛନ୍ତି ରୁଦ୍ର ।