ବିଜେପି-ବିଜେଡି ମଧ୍ୟରେ ଲଢେଇ ହେବ, ବିଜେଡି ୮୦୦ରୁ ଅଧିକ ଜିଲ୍ଲା ପରିଷଦ ଆସନରେ ବିଜୟୀ ହେବ । ପଞ୍ଚାୟତ ଭୋଟ ପୂର୍ବରୁ ଦମ୍ଭ ଦେଖାଇଲେ ପ୍ରମିଳା ।

234

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନରେ ଭୋଟ ଗ୍ରହଣ ପୂର୍ବରୁ ଦମ୍ଭ ଦେଖାଇଛନ୍ତି ବିଜେଡି ଉପ-ସଭାନେତ୍ରୀ ପ୍ରମିଳା ମଲ୍ଲିକ । ଏଥର ବିଜେଡି ୮୦୦ରୁ ଅଧିକ ଜିଲ୍ଲା ପରିଷଦ ଆସନରେ ବିଜୟୀ ହେବ ବୋଲି କହିଛନ୍ତି ପ୍ରମିଳା । ଏହାସହ ଚଳିତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଅସ୍ତିତ୍ୱ ହରାଇବ । କାରଣ କଂଗ୍ରେସର ଭୋଟ ହେବ ବିଜେପି କ୍ୟାମ୍ପରେ । କିନ୍ତୁ ଏହାର ପ୍ରଭାବ ବିଜେଡିର ଫଳାଫଳ ଉପରେ ପଡିବ ନାହିଁ ବୋଲି ପ୍ରମିଳା କହିଛନ୍ତି ।

କେବଳ ଏତିକି ନୁହେଁ ବିଦ୍ରୋହୀ ପ୍ରାର୍ଥୀ ବିପଦ ସାଜିବେ ବୋଲି ଯେଉଁ ଚର୍ଚ୍ଚା ହେଉଛି ସେଭଳି ଦେଖିବାକୁ ମିଳିବ ନାହିଁ । ଲୋକେ ଶଙ୍ଖ ଚିହ୍ନରେ ଏବଂ ବିଜେଡିକୁ ଭୋଟ ଦେବେ । ଲୋକେ ସଚେତନ ଅଛନ୍ତି ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ ଦେବେ ନାହିଁ । ଆଶାୟୀ ଅନେକ ଥିଲେ କିନ୍ତୁ ସମସ୍ତଙ୍କୁ କଣ ଦଳ ପ୍ରାର୍ଥୀ କରିପାରିବ । ସମସ୍ତଙ୍କ ସହ ଆଲୋଚନା କରାଯାଇ ବୁଝାସରିଛି, ସମସ୍ତେ ଦଳୀୟ ଲାଇନରେ କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ବିଜେଡି ବିଜୟୀ ହେବ, ବରଗଡ ଅମ୍ଭାବନାରେ ବିଜେଡି ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହେବା ଏହାର ସଂକେତ ବୋଲି ସେ କହିଛନ୍ତି ।

ତେବେ ଚଳିତ ନିର୍ବାଚନରେ ତ୍ରିମୁଖୀ ନୁହେଁ ଦ୍ୱିମୁଖୀ ଲଢେଇ ହେବ ବୋଲି ପ୍ରମିଳା କହିଛନ୍ତି । କାରଣ କଂଗ୍ରେସ ଭୋଟ ଏବେ ବିଜେପି କ୍ୟାମ୍ପରେ । କଂଗ୍ରେସ ଜିତିବାର ପ୍ରଶ୍ନ ଉଠୁନାହିଁ । ଲଢେଇ ବିଜେପି-ବିଜେଡି ମଧ୍ୟରେ ହେବ । ଆଉ ବିଜେଡି ହିଁ ଏହି ଲଢେଇରେ ବାଜିମାତ୍ କରିବ । ଲୋକଙ୍କର ବିଜେଡି ପ୍ରତି ଆସ୍ଥା ଅଛି ତାହା ବରଗଡ ଅମ୍ଭାବନା ନିର୍ବାଚନରେ ବିଜେଡି ପ୍ରାର୍ଥୀ ନିଦ୍ୱନ୍ଦରେ ନିର୍ବାଚିତ ହେବା ପରେ ଜଣାପଡିଛି ।