ଉପ-ନିର୍ବାଚନରେ ପୁଣି ଉଡିଲା ବିଜେଡିର ବିଜୟ ଧ୍ୱଜା । ୨୦୧୯ ପରେ ଉପ-ନିର୍ବାଚନରେ ଅପରାଜେୟ ବିଜେଡି ।

180

କନକ ବ୍ୟୁରୋ : ବ୍ରଜରାଜନଗରରେ ବାଜି ମାରିଲା ବିଜେଡି । ଏହାସହ ୨୦୧୯ ପରଠାରୁ ଉପ-ନିର୍ବାଚନରେ ବିଜେଡିର ବିଜୟ ଧାରା ଅବ୍ୟାହତ ରହିଛି । ୬୬ ହଜାରରୁ ଅଧିକ ଭୋଟରେ ବିରୋଧୀଙ୍କୁ ମାତ୍ ଦେଇ ପୁଣିଥରେ ବିଜୟ ଧ୍ୱଜା ଉଡାଇଛି ବିଜେଡି । ସବୁଠୁ ବଡ କଥା ହେଲା, ଲଗାତାର ଉପ-ନିର୍ବାଚନରେ ବିଜେଡି କେବଳ ବିଜୟୀ ହେଉନି ବରଂ ବିଜୟର ବ୍ୟବଧାନ ମଧ୍ୟ ବଢି ବଢି ଚାଲିଛି । ୨୦୧୯ ନିର୍ବାଚନରେ ବ୍ରଜରାଜନଗରରେ ବିଜେଡି ମାତ୍ର ୧୨ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲା । କିନ୍ତୁ ଉପ-ନିର୍ବାଚନରେ ୬୬ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିପୁଳ ବିଜୟ ହାସଲ କରିଛି ବିଜେଡି । ଆଉ ଏହି ବିଜୟ ସହ ଉପ-ନିର୍ବାଚନରେ ବିଜେଡିର ବିଜୟରଥ ଆଗକୁ ବଢିଛି । ଯାହା ସଂକେତ ଦେଉଛି ଏବେ ବି ନବୀନଙ୍କର କ୍ରେଜ ରହିଛି । ନବୀନଙ୍କ ନେତୃତ୍ୱ ଉପରେ ସାଧାରଣ ଭୋଟରଙ୍କର ଭରସା ରହିଛି । ବ୍ରଜରାଜନଗର ଉପ-ନିର୍ବାଚନ ସହ ଗତ ୨୦୧୯ ପରଠାରୁ ହୋଇଥିବା ସମସ୍ତ ଉପ-ନିର୍ବାଚନରେ ବାଜିମାତ୍ କରିଛି ବିଜେଡି ।

୨୦୧୯ ପରେ ବିଜେଡି ୪ଟି ଉପ-ନିର୍ବାଚନ ପାଇଁ ମୈଦାନକୁ ଓହ୍ଲାଇଛି । ଆଉ ଏହି ୪ଟି ଉପ-ନିର୍ବାଚନରେ ବିଜେଡିକୁ ଭରସିଛନ୍ତି ସାଧାରଣ ଜନତା । ବିଭିନ୍ନ ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଘେରିବାକୁ ବିରୋଧୀ ଉଦ୍ୟମ କରିଛନ୍ତି, କିନ୍ତୁ ଏହାକୁ ଭୋଟରେ ରୂପାନ୍ତରିତ କରିବାରେ ବିଫଳ ହୋଇଛନ୍ତି । ଭୋଟରଙ୍କ ମନ ଜିଣିବାରେ ସକ୍ଷମ ହୋଇନାହାନ୍ତି ବିରୋଧୀ ଦଳ । ବିଜେଡି ମୁଖିଆ ନବୀନଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ହିଁ ଦଳ ପାଇଁ ସବୁଠୁ ବଡ ଭୋଟବ୍ୟାଙ୍କ ଭାବେ ଉଭା ହୋଇଛି । ଯାହାର ଫାଇଦା ଦଳକୁ ବିଭିନ୍ନ ସମୟରେ ମିଳିଛି । ସେ ସାଧାରଣ ନିର୍ବାଚନ ହେଉ କି ଉପ-ନିର୍ବାଚନ ।

୨୦୧୯ ନିର୍ବାଚନ ପରେ ପ୍ରଥମଥର ପାଇଁ ବିଜେପୁର ଉପ-ନିର୍ବାଚନକୁ ଓହ୍ଲାଇଥିଲା ବିଜେଡି । ନବୀନ ବିଜେପୁର ଆସନ ଛାଡିବା ପରେ ଏହି ଆସନରୁ ମୈଦାନକୁ ଓହ୍ଲାଇଥିଲେ ରୀତା ସାହୁ । ଆଉ ଏଥିରେ ବିଜେଡିକୁ ମିଳିଥିଲା ବିପୁଳ ସଫଳତା । ରେକର୍ଡ ଭୋଟରେ ବିଜୟୀ ହୋଇଥିଲା ବିଜେଡି । ଏହାପରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନରେ ହୋଇଥିବା ଉପ-ନିର୍ବାଚନରେ ବିଜେଡିକୁ ମିଳିଥିଲା ବଡ ସଫଳତା । ବିଜେପି ଖାତାରେ ଥିବା ବାଲେଶ୍ୱର ସଦର ଆସନକୁ ବିଜେଡି ନିଜର ବିଜୟ ତାଲିକାରେ ସାମିଲ କରିବା ସହ ତିର୍ତ୍ତୋଲ ଗଡକୁ ମଧ୍ୟ ବଞ୍ଚାଇବାରେ ସକ୍ଷମ ହୋଇଥିଲା । ସେହିଭଳି ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଫାଙ୍କା ହୋଇଥିବା ଆସନକୁ ପୁଣିଥରେ ଅକ୍ତିଆର କରିଥିଲା ବିଜେଡି । ରୁଦ୍ର ମହାରଥୀ ଏହି ଆସନରୁ ବିଜୟୀ ହେବା ସହ ଉପ-ନିର୍ବାଚନରେ ବିଜେଡିର ବିଜୟ ଧାରାକୁ ଅବ୍ୟାହତ ରଖିଥିଲେ । ଆଉ ଏବେ ବ୍ରଜରାଜନଗର ଉପ-ନିର୍ବାଚନରେ ଏହାର ପୁନରାବୃତ୍ତି ଦେଖିବାକୁ ମିଳିଛି ।