ଏନଏସି ନିର୍ବାଚନରେ ବିଜେଡ଼ିର ବାଜିମାତ ! ବିଜେପିକୁ ମାତ୍ର ଗୋଟିଏ ଆସନ, କଂଗ୍ରେସ ମୂଳପୋଛ

38

କନକ ବ୍ୟୁରୋ : ବିଜେପୁର ପରେ ପୁଣି ବାଜି ମାରିଲା ବିଜେଡି । ଅତାବିରା ଓ ହିନ୍ଦୋଳ, ଉଭୟ ଏନଏସିକୁ କଂଗ୍ରେସ ହାତରୁ ଛଡାଇ ନେଇଛି ଦଳ । ଅତାବିରାରେ ୧୨ଟି ଯାକ ୱାର୍ଡରେ ବିଜେଡି ଜିତିଥିବା ବେଳେ ହିନ୍ଦୋଳର ୧୬ଟି ୱାର୍ଡରୁ ୧୩ଟିରେ ଦଳ ବାଜିମାତ୍ କରିଛି । ଦୁଇଟି ଯାକ ଏନଏସିରେ କଂଗ୍ରେସ ଖାତା ଖୋଲି ପାରିନାହିଁ । କେବଳ ହିନ୍ଦୋଳରେ ଗୋଟିଏ ୱାର୍ଡ ଜିତିପାରିଛି ବିଜେପି ।

ଦୁଇ ଦୁଇଟି ଏନଏସି ନିର୍ବାଚନରେ ବିଜେଡି କରିଛି ବାଜିମାତ୍ । ବରଗଡ ଜିଲ୍ଲାର ଅତାବିରା ଓ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ନିର୍ବାଚନରେ ଦଳ କରିଛି କ୍ଲିନସ୍ୱିପ୍ । ଏହି ଦୁଇ ବିଜ୍ଞାପିତ ଅଂଚଳ ପରିଷଦରେ ଉଭୟ ବିଜେପି ଓ କଂଗ୍ରେସକୁ ଲାଗିଛି ବଡ ଝଟକା । ଅତାବିରାରେ ୧୨ଟି ଯାକ ୱାର୍ଡରେ ବିଜୟୀ ହୋଇଛି ବିଜେଡି । ହିନ୍ଦୋଳ ଏନଏସିର ୧୬ଟି ୱାର୍ଡରୁ ବିଜେଡି ୧୩ଟି ୱାର୍ଡ ହାତେଇଛି । ୨ଟି ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ କେବଳ ଗୋଟିଏ ୱାର୍ଡ ବିଜେପି ଖାତାକୁ ଯାଇଛି । ଆଉ ଏହା ପରେ ବିଜେଡି ଶିବିରରେ ଆରମ୍ଭ ହୋଇଯାଇଛି ସେଲିବ୍ରେସନ ।

ତେବେ ଏହି ଦୁଇଟି ଏନଏସି ନିର୍ବାଚନ ଫଳାଫଳକୁ ନେଇ ବିଜେପି କହିଛି, ଏହା ଏକ ଛୋଟ ଅଂଚଳର ନିର୍ବାଚନ ଫଳ । ତେଣୁ ଏହାକୁ ଓଡ଼ିଶାର ଜନମତ ବୋଲି ବିବେଚନା କରାଯାଇ ପାରିବ ନାହିଁ । ସେପଟେ ବରିଷ୍ଠ କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ କହିଛନ୍ତ୍ି, ଏହା କଂଗ୍ରେସ ପାଇଁ ଅବଶୋଷର ବିଷୟ । ଏବଂ ଏହାକୁ ନେଇ କଂଗ୍ରେସର ନେତୃତ୍ୱ ଚିନ୍ତା କରିବା ଦରକାର । ଏପଟେ ଫଳାଫଳକୁ ନେଇ ବିଜେପିକୁ ଟାର୍ଗେଟ କରିଛି ବିଜେଡି ।

ଆଗକୁ ୨୦୧୯ ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡିକ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ଏହି ଏନଏସି ନିର୍ବାଚନ ମଧ୍ୟ ଜନମତକୁ ପ୍ରଭାବିତ କରିବାର ସାମର୍ଥ୍ୟ ରଖୁଛି । ହିନ୍ଦୋଳ ଓ ଅତାବିରାରେ ବାଜିମାତ୍ ପରେ ବିଜେଡି ଶିବିରରେ ଉତ୍ସାହ ଭରିଯାଇଛି । ବିଜୟୀ କାଉନସିଲରମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି କୃତଜ୍ଞତା ପ୍ରକାଶ କରିଛନ୍ତି ।