କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନରେ ବିଜେଡିର ଐତିହାସିକ ବିଜୟ ପରେ ଏବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ନିର୍ବାଚନରେ ଦଳକୁ ମିଳିଛି ବଡ ସଫଳତା । ୩୦ରୁ ୩୦ ଆସନରେ ବାଜିମାତ କରିଛି ବିଜେଡି । ଆଉ ଏହାସହ ପ୍ରଥମଥର ପାଇଁ ଏଭଳି ଐତିହାସିକ ସଫଳତା ପାଇବା ସହ ଇତିହାସ ରଚିଛି ବିଜେଡି । ଏପରିକି ଗତଥର ବିଜେଡି ଯେଉଁ ଜିଲ୍ଲାରେ ମାତ୍ ଖାଇଥିଲା ଏଥର ସେହି ସବୁ ଜିଲ୍ଲାରେ ବହୁ ବ୍ୟବଧାନରେ ବିଜୟୀ ହୋଇଛି ବିଜେଡି । ଆଉ ଏହି ନିର୍ବାଚନରେ ବିଜେପିକୁ ଲାଗିଛି ବଡ ଝଟକା । ରବିବାର ଅନୁଷ୍ଠିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନର ଫଳାଫଳରୁ ଏହା ସ୍ପଷ୍ଟ ହୋଇଛି ।
ଚଳିତ ପଞ୍ଚାୟତ ନିର୍ବାଚନରେ ରାଜ୍ୟର ୮୫୩ ଜିଲ୍ଲା ପରିଷଦ ଜୋନରୁ ୮୫୧ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେଥିରେ ବିଜେଡି ଏକତରଫା ଭାବେ ୭୬୬ ଜୋନରେ ବିଜୟ ଲାଭ କରିଥିଲା । ବିରୋଧୀ ବିଜେପି ୪୨ଟି, ଓ କଂଗ୍ରେସକୁ ୩୭ଟି ଆସନ ମିଳିଥିବା ବେଳେ ୭ଟି ଆସନ ଅନ୍ୟାନ୍ୟ ଖାତାକୁ ଯାଇଥିଲା । ସବୁ ଜିଲ୍ଲାରେ ବିରୋଧୀଙ୍କ ଠାରୁ ଢ଼େର ଅଧିକ ଆସନ ଜିତି ଥିବାରୁ ବିଜେଡି ସବୁ ଠାରେ ପରିଷଦ ଗଠନ କରିବା ନେଇ ସ୍ପଷ୍ଟ ହୋଇଥିଲା । କେବଳ କଂଗ୍ରେସ କୋରାପୁଟ ଜିଲ୍ଲାରେ ଆସନ ଜିତିବାରେ ୨ ଅଙ୍କ ଛୁଇଁଥିଲା । ତେବେ ନିର୍ବାଚନର ନିୟମ ଅନୁଯାୟୀ ଏଥର କ୍ରସ ଭୋଟିଂ ହେବାର ସମ୍ଭାବନା ମଧ୍ୟ କମ୍ ଥିଲା । ତେଣୁ ପ୍ରଥମ ଥର ପାଇଁ ବିଜେଡି ରାଜ୍ୟର ସମସ୍ତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାସଲ କରି ରେକର୍ଡ କରିଛି ବିଜେଡି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଏଥର ସ୍ୱାଭିମାନ ଅଂଚଳର ବିଜେଡି ପ୍ରାର୍ଥୀ ସମାରି ତାଙ୍ଗୁଲୁ ଅକ୍ତିଆର କରିଛନ୍ତି । ଦୀର୍ଘ ବର୍ଷ ପରେ ମାଓ ଅଧ୍ୟୁଷିତ ସ୍ୱାଭିମାନ ଅଂଚଳରେ ପଂଚାୟତ ନିର୍ବାଚନ ହୋଇଥିଲା । ସେହିପରି ସୁନ୍ଦରଗଡ଼ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇଛନ୍ତି ଜଣେ ମହିଳା ଟେଲର ।