ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ପାଣ୍ଡିଆନ ଦେଲେ ହିସାବ । କହିଲେ, ୨୮ ଆସନରୁ ୨୪ ଆସନରେ ଜିତିବ ବିଜେଡି । 

583

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଏହାର ଫଳାଫଳକୁ ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ଖବର ସରବରାହ ସଂସ୍ଥାକୁ ଏନଏନଆଇକୁ ସୂଚନା ଦେଇ ପାଣ୍ଡିଆନ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ୨୮ଟି ଆସନରୁ ୨୪ଟି ଆସନରେ ଜିତିବ ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ଭଲ କାମ ପାଇଁ ଦଳ ବିଜୟୀ ହେବ । ପୁଣିଥରେ ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।

ଓଡ଼ିଶାରେ ସୋମବାର ଦିନ ୪ ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ପାଇଁ ମତଦାନ ସରିଛି । ଯେଉଁ ୨୮ ଆସନରୁ ୨୪ ଆସନରେ ବିଜୟୀ ହେବାକୁ ଦମ୍ଭୋକ୍ତି ଦେଖାଇଛନ୍ତି ଭିକେ ପାଣ୍ଡିଆନ । ଏହାସହ ବିରୋଧୀ ବିଜେପିକୁ ମଧ୍ୟ ଟାର୍ଗେଟ କରିଛନ୍ତି । ପାଣ୍ଡିଆନ କହିଛନ୍ତି, ଗତକାଲି ଓଡ଼ିଶା ବିଜେପିର ୫ ନେତା ସାମ୍ବାଦିକ ସମ୍ମିଳନୀ କରିଥିଲେ । ଯାହା ସୂଚନା ଥିଲା ସେମାନେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥାନ୍ତେ । ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥାନ୍ତେ । କିନ୍ତୁ ଶେଷ ମୁହୂର୍ତ୍ତରେ ନିଜ ନିଜ ଭିତରେ ଝଗଡା ଲାଗି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେନି । ୧୦ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଖୋଜୁଛନ୍ତି କିନ୍ତୁ ପାଉନାହାନ୍ତି ବୋଲି କଟାକ୍ଷ କରିଛନ୍ତି ପାଣ୍ଡିଆନ । ସେହିଭଳି ବୈଜୟନ୍ତ ପଣ୍ଡାଙ୍କୁ ମଧ୍ୟ କଡା ଜବାବ ଦେଇଛନ୍ତି ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ବାରମ୍ବାର ଗୁଜବ କରୁଛନ୍ତି ବୈଜୟନ୍ତ । ତାଙ୍କର ରାଜନୀତି ହେଲା ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ କରିବେ । ଯେଉଁଥିପାଇଁ ୨୦୧୯ରେ ଜବାବ ଦେଇଥିଲେ କେନ୍ଦ୍ରପଡାବାସୀ । ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ କରିବା ଅପେକ୍ଷା ବିକାଶମୂଳକ କାମକୁ ନେଇ ଡିବେଟ କରନ୍ତୁ ବୈଜୟନ୍ତ । ରାଜନୀତି କରନ୍ତୁ କିନ୍ତୁ ବ୍ୟକ୍ତିଗତସ୍ତରକୁ ଯାଇ ସ୍ୱାସ୍ଥ୍ୟକୁ ନେଇ କାହାକୁ ଆକ୍ଷେପ ନ କରିବା ଲଜ୍ଜାଜନକ ବୋଲି କହିଛନ୍ତି ପାଣ୍ଡିଆନ । ଏହାର ଜବାବ କେନ୍ଦ୍ରାପଡାବାସୀ ନିଶ୍ଚ୍ରୟ ଦେବେ ଏବଂ ୨୦୧୯ ତୁଳନାରେ ଅଧିକ ଭୋଟରେ ବୈଜୟନ୍ତ ହାରିବେ ବୋଲି କହିଛନ୍ତି ପାଣ୍ଡିଆନ । ମହାପ୍ରଭୁ ସଦବୁଦ୍ଧି ଦିଅନ୍ତୁ ଏବଂ ଏଭଳି ମିଛ ଅପପ୍ରଚାରରୁ ଦୂରେଇ ରୁହନ୍ତୁ ବୋଲି କହିଛନ୍ତି ପାଣ୍ଡିଆନ ।