ବିଜେଡି ଦଖଲ କଲା ବ୍ରଜରାଜନଗର । ଉପନିର୍ବାଚନରେ ବଡ଼ ବ୍ୟବଧାନରେ ବିଜେଡିର ବାଜିମାତ ।

257

କନକ ବ୍ୟୁରୋ: ବ୍ରଜରାଜନଗର ଉପନିର୍ବାଚନରେ ବିପୁଳ ବିଜୟ ପରେ ଉତ୍ସବ ମନାଉଛି ବିଜେଡି । ସ୍ୱାମୀ ସ୍ୱର୍ଗତଃ କିଶୋର ମହାନ୍ତିଙ୍କ ଠାରୁ ବହୁ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ବ୍ରଜରାଜନଗର ମଇଦାନରେ ବହୁ ପଛରେ ପଡିଯାଇଛି ବିରୋଧୀ । ପ୍ରଥମ ରାଉଣ୍ଡ ଗଣନା ଆରମ୍ଭରୁ ବିଜେଡିର ଦବଦବା ଦେଖିବାକୁ ମିଳିଥିଲା, ଶେଷ ରାଉଣ୍ଡ ପର୍ଯ୍ୟନ୍ତ ତାହା ଜାରି ରହିଥିଲା । ବ୍ରଜରାଜନଗର ନିର୍ବାଚନ ଇତିହାସରେ ରେକର୍ଡ ଭୋଟ ବ୍ୟବଧାନରେ ବାଜି ମାରି ନେଇଥିଲେ ଅଳକା ମହାନ୍ତି । ବିଜେଡିର ଅନୁକମ୍ପା କାର୍ଡ ଆଗରେ ଫିକା ପଡିଯାଇଥିଲା ବିରୋଧୀ ଦଳର ରଣନୀତି । ଅଳକା ୯୩ ହଜାର ୯୫୩ ଭୋଟ ପାଇଥିବା ବେଳେ କଂଗ୍ରେସର କିଶୋର ମହାନ୍ତିଙ୍କୁ ମିଳିଛି ୨୭ ହଜାର ୮୩୧ । ଓ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ମିଳିଛି ୨୨ ହଜାର ୬୩୦ ଭୋଟ ।

ଉଠିଲା କଂଗ୍ରେସ, ଖସିଲା ବିଜେପି । ତୃତୀୟ ସ୍ଥାନରୁ ଦ୍ୱିତୀୟକୁ ଗଲା କଂଗ୍ରେସ । ସମସ୍ତ ବିରୋଧୀ ଦଳ ସେତିକି ଭୋଟ ପାଇବାରେ ସକ୍ଷମ ହୋଇଛନ୍ତି, ତାହା ଠାରୁ ଅଧିକ ରହିଛି ଶାସକ ଦଳର ଭୋଟ । ବିଜେଡି ୬୧.୨୫ ପ୍ରତିଶତ ଭୋଟ ପାଇଥିବା ବେଳେ କଂଗ୍ରେସକୁ ମିଳିଛି ୧୮.୧୪ ପ୍ରତିଶତ ଏବଂ ବିଜେପି ମାତ୍ର ୧୪.୭୫ ପ୍ରତିଶତ ଭୋଟ ପାଇ ତୃତୀୟ ସ୍ଥାନକୁ ଖସି ଆସିଛି ।

ବ୍ରଜରାଜନଗର ଉପନିର୍ବାଚନରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିବା ଏକ ନୂଆ ବାର୍ତ୍ତା ଦେଇଛି । କଂଗ୍ରେସ ଦ୍ୱିତୀୟ ସ୍ଥାନକୁ ଉଠିଥିବା ବେଳେ ତୃତୀୟ ସ୍ଥାନକୁ ଖସି ଆସିଛି ବିଜେପି । ମାତ୍ର ୨ ବର୍ଷ ଭିତରେ ବଦଳି ଯାଇଛି ବ୍ରଜରାଜନଗର ରାଜନୀତିର ଦୃଶ୍ୟପଟ । ଗତ ଦୁଇ ନିର୍ବାଚନର ଫଳାଫଳ ଉପରେ ନଜର ପକାନ୍ତୁ । ଏ ହେଉଛି ୨୦୧୯ ଓ ୨୦୨୨ ନିର୍ବାଚନର ଫଳାଫଳ । ୨୦୧୯ରେ ବିଜେପି ୬୮ ହଜାରରୁ ଅଧିକ ଭୋଟ ପାଇଥିଲା, ବିଜେଡି ଠାରୁ ମାତ୍ର ୧୨ ହଜାର ଭୋଟ କମ୍ ପାଇଥିଲା । ପ୍ରାର୍ଥୀ ଥିଲେ ସେହି ରାଧାରାଣୀ ପଣ୍ଡା । ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ନଦେଇ ସିପିଆଇକୁ ଏହି ଆସନ ଛାଡିଥିଲା । ମାତ୍ର ୯ ହଜାର ୩୫୦ ଭୋଟ ପାଇଥିଲେ ସିପିଆଇ ପ୍ରାର୍ଥୀ । କିନ୍ତୁ ୨୦୨୨ ଉପନିର୍ବାଚନ ଫଳାଫଳ ପୂରା ଓଲଟି ଯାଇଛି । ବିଜେଡିର ଭୋଟ ବୃଦ୍ଧି ପାଇଛି, କଂଗ୍ରେସ ଦ୍ୱିତୀୟ ସ୍ଥାନକୁ ଚାଲି ଆସିଛି । ବିଜେପିର ଭୋଟ ବହୁତ କମିଯାଇଛି ।

ଫଳାଫଳ ନେଇ ପିସିସି ସଭାପତି କହିଛନ୍ତି, ବ୍ରଜରାଜନଗର ଉପନିର୍ବାଚନ ରାଜନୀତିର ମୋଡ଼ ବଦଳାଇବ । ତେବେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା କହିଛନ୍ତି, ପରାଜୟର କାରଣ ଖୋଜିବୁ । ଇଭିଏମ୍ ଟାମ୍ପରିଂ ଓ ଶାସକ ଦଳ ଟଙ୍କା କାରବାର ନେଇ ଅଭିଯୋଗ ଆଣିଛନ୍ତି ରାଧାରାଣୀ । ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବିଜୟ ପରେ ଟ୍ୱିଟ କରି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବ୍ରଜରାଜନଗର ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଥିବା ଅଳକା ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବ୍ରଜରାଜନଗରବାସୀଙ୍କୁ କୃତଜ୍ଞତା ସହ ନିଷ୍ଠାପର ଉଦ୍ୟମ କରିଥିବା ସମସ୍ତ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ ।