କେନ୍ଦ୍ରାପଡାରେ ପୂରା ହେଲା ବିଜେଡିର ସ୍ୱପ୍ନ । ସାବିତ୍ରୀଙ୍କ ବିଜୟ ସହ ୭ରୁ ୭ ଆସନରେ ଶୁଭିଲା ଶଙ୍ଖ ।

417

କନକ ବ୍ୟୁରୋ : ପାଟକୁରାରେ ଶୁଭିଲା ଶଙ୍ଖ । ସାବିତ୍ରୀଙ୍କ ବିଜୟ ସହ କେନ୍ଦ୍ରାପଡାରେ ପୂରା ହୋଇଛି ବିଜେଡିର ସ୍ୱପ୍ନ । ବିଜୟ ସହ ସାବିତ୍ରୀ କେନ୍ଦ୍ରାପଡାକୁ ସବୁଜ ଗଡରେ ପରିଣତ କରିଛନ୍ତି । ୧୭ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇ ପାଟକୁରାରେ ବିଜୟ ବାନା ଉଡାଇଛନ୍ତି ସାବିତ୍ରୀ । ଆଉ ଏହାସହ ଅଧାରେ ରହିଛି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କର ବିଧାନସଭାକୁ ଫେରିବା ସ୍ୱପ୍ନ । ହୋମଗ୍ରାଉଣ୍ଡରୁ ହାରିବା ପରେ ବିଜୟଙ୍କ ରାଜନୈତିକ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ହାଇଭୋଲଟେଜ ମୁକାବିଲାରେ ସାବିତ୍ରୀଙ୍କ ବିଜୟ ବିଜେଡି ଶିବିରରେ ଉତ୍ସାହ ଭରିଦେଇଛି । ସାବିତ୍ରୀଙ୍କ ବିଜୟ ସହ କେନ୍ଦ୍ରାପଡାରେ ୭ରୁ ୭ ବିଧାନସଭା ଆସନ ହାତେଇଛି ବିଜେଡି । ଆଉ ଏହାସହ ବିଜୁଙ୍କ ଗଡ କୁହାଯାଉଥିବା କେନ୍ଦ୍ରାପଡାକୁ ପୁଣିଥରେ ସବୁଜ ଗଡରେ ପରିଣତ କରିଛି ବିଜେଡି । ପୂର୍ବରୁ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ଆସୁଥିବା ୭ ବିଧାନସଭା ଆସନରୁ ୬ ବିଧାନସଭା ଆସନରେ ବିଜେଡି ନିଜର ବିଜୟ ବାନା ଉଡାଇ ସାରିଥିବା ବେଳେ ପାଟକୁରା ଉପରେ ସମସ୍ତଙ୍କର ନଜର ରହିଥିଲା । ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ପାଟକୁରା ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଥିଲା । ପରେ ବାତ୍ୟା ଫୋନି ପାଟକୁରା ନିର୍ବାଚନକୁ ଆହୁରି ବିଳମ୍ବିତ କରିଥିଲା ।

ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ରାପଡାର ୭ ଆସନକୁ ଅକ୍ତିଆର କରିବାକୁ ଦମ୍ଭ ଦେଖାଇଥିଲେ ୩ ପ୍ରମୁଖ ରାଜନୈତିକ ଦଳ । ୨୦୧୪ ନିର୍ବାଚନରେ କେନ୍ଦ୍ରାପଡାର ୭ ଆସନ ମଧ୍ୟରୁ କଂଗ୍ରେସ ୩ଟି ଆସନ ଅକ୍ତିଆର କରିଥିବା ବେଳେ ବିଜେଡି ଖାତାକୁ ଆସିଥିଲା ୪ ଆସନ । କିନ୍ତୁ ୨୦୧୯ ନିର୍ବାଚନରେ କେନ୍ଦ୍ରାପଡାରେ ବଦଳି ଯାଇଥିଲା ପୂରା ଟ୍ରେଣ୍ଡ । ପାଟକୁରା ପୂର୍ବରୁ ୬ଟି ଆସନରେ ହୋଇଥିବା ନିର୍ବାଚନରେ ବିଜେଡି ଏକତରଫା ଭାବେ ବାଜି ମାରି ନେଇଥିଲା । ଏପରିକି କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ମଧ୍ୟ ପୁଣିଥରେ ସବୁଜ ବାନା ଉଡାଇବାକୁ ସକ୍ଷମ ହୋଇଥିଲା ବିଜେଡି ।

୬ ଆସନରେ ବିଜୟ ହେବା ପରେ ପାଟକୁରା ଆସନ ମଧ୍ୟ ହାତେଇବା ପାଇଁ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଥିଲା ବିଜେଡି । ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରି ବିଜୟ ପାଇଁ ଅଙ୍କ କଷିଥିଲେ ବିଜେଡି ସୁପ୍ରିମୋ । ବିଜେଡିର ମନ୍ତ୍ରୀ ଓ ନେତା ପାଟକୁରାରେ ଡେରା ପକାଇବା ସହ ଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ । ଏପରିକି ଖୋଦ୍ ଦଳର ମୁଖିଆ ସାବିତ୍ରୀଙ୍କ ବିଜୟ ପାଇଁ ପ୍ରସ୍ତୁତ ହୋଇଥିବା ବ୍ଲୁ-ପ୍ରିଣ୍ଟରେ ଶେଷ ସ୍ପର୍ଶ ଦେବା ସହ ମାରାଥନ୍ ପ୍ରଚାର କରିଥିଲେ । ଆଉ ଶେଷରେ ଆଜି ଫଳାଫଳ ପ୍ରକାଶ ପାଇବା ପରେ ୧୭ ହଜାରରୁ ଅଧିକ ଭୋଟରେ ବାଜି ମାରିଛନ୍ତି ସାବିତ୍ରୀ । ଏହି ବିଜୟ ସହ କେନ୍ଦ୍ରାପଡାରେ ୭ରୁ ୭ ଆସନ ସବୁଜ ଗଡରେ ପରିଣତ ହୋଇଛି ।