ପିପିଲି ବିଜୟ ପରେ ବିଜେଡିରେ ଉତ୍ସବର ମାହୋଲ : ବିଜେଡି କାର୍ଯ୍ୟାଳୟରୁ, ରାଜପଥ ସବୁଠି ମନାଇଲେ ଖୁସି

ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

149

କନକ ବ୍ୟୁରୋ : ପିପିଲି ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟୀ ହେବା ପରେ ବିଜେଡିରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ବିଜେଡି ପାର୍ଟି କାର୍ଯ୍ୟାଳୟରୁ ଜାତୀୟ ରାଜପଥ, ସବୁଠି ବିଜୟ ଉତ୍ସବ ମନାଇଛନ୍ତି ବିଜେଡି କର୍ମୀ । ବହୁ ସଂଖ୍ୟାରେ ବିଜେଡି କର୍ମୀ ନେତା ଏକାଠି ହୋଇ ବିଜୟ ମନାଇଛନ୍ତି । ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ବିଜେପିକୁ ୨୦ହଜାର ୯୨୬ ଭୋଟରେ ପରାସ୍ତ କରିଛନ୍ତି। ପ୍ରଦୀପ ମହାରଥୀଙ୍କ ପରଲୋକ ‌ପରେ ଖାଲି ହୋଇଥିବା ଏହି ଆସନରେ ତାଙ୍କ ପୁଅ ରୁଦ୍ରପ୍ରତାପ ବିଜେଡି ପ୍ରାର୍ଥୀ ହୋଇଥିଲେ । ଗତ ନିର୍ବାଚନ ତୁଳନାରେ ବାପା ସ୍ବର୍ଗତ ପ୍ରଦୀପ ମହାରଥୀଙ୍କଠାରୁ ପ୍ରାୟ ୮ ହଜାର ଅଧିକ ‌ଭୋଟ୍ ପାଇଛନ୍ତି ରୁଦ୍ର । ୨୦୧୯ ନିର୍ବାଚନ ତୁଳନାରେ ବିଜେଡି ଓ ବିଜେପି ଦଳ ଭିତରେ ଭୋଟ୍‌ ବ୍ୟବଧାନ ବି ବଢ଼ିଛି । ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ୯୬ହଜାର ୯୭୨ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୭୬ହଜାର ୦୫୬ ଭୋଟ୍‌ ପାଇଛନ୍ତି । କିନ୍ତୁ ଜାତୀୟ ଦଳ କଂଗ୍ରେସ ଅମାନତ ହରାଇଛି । ମାତ୍ର ୪ହଜାର ୨୬୨ ଭୋଟ୍‌ରେ କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ରଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଛି ।

ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ବର୍ଷେ ଧରି ପିପିଲି ଆସନ ଖାଲି ପଡ଼ିଥିଲା। ଏ ଭିତରେ ଦୁଇଦୁଇ ଥର ଉପନିର୍ବାଚନ ନେଇ ନିର୍ବାଚନ କମିସନ ବିଜ୍ଞପ୍ତି ପ୍ରକାଶ କରିଥିଲେ ବି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ଓ କୋଭିଡ୍‌ଜନିତ କଟକଣାକୁ ନେଇ ଦୁଇଥର ଏହାକୁ ବାତିଲ୍‌ କରାଯାଇଥିଲା । କୋଭିଡ୍‌ କଟକଣା କୋହଳ ହେବାପରେ ସେପ୍ଟେମ୍ବର ୪ରେ ତୃତୀୟ ଥର ଉପନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଗତ ୩୦ ତାରିଖରେ ମତଦାନ ଅନୁଷ୍ଠିତ ହୋଇଥିଲା । ପିପିଲି ଓ ଡେଲାଙ୍ଗ ବ୍ଲକ୍‌ର ୨ଲକ୍ଷ ୨୯ହଜାର ୯୯୮ଜଣ ଭୋଟରଙ୍କ ମଧ୍ୟରୁ ୧ଲକ୍ଷ ୮୦ହଜାର ୯୯୯ ଭୋଟର ମତଦାନ ସାବ୍ୟସ୍ତ କରିଥିଲେ । ମତଦାନ ପରେ ଚଳିତ ଥର ବିଜେଡି ପ୍ରାୟ ୨୫ହଜାର ଭୋଟରେ ଆଗରେ ରହିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲା । ବିଜେପି ବି ଏଥିରେ ପଛରେ ନଥିଲା। ପ୍ରାୟ ୫ହଜାର ଭୋଟରେ ଆଗରେ ରହିବ ବୋଲି ଯୁକ୍ତି ବାଢ଼ୁଥିଲା । କିନ୍ତୁ ବିଜେଡିର ଗଣନା ସତ ହୋଇଛି । ୨୦୧୯ ନିର୍ବାଚନ ତୁଳନାରେ ଉପନିର୍ବାଚନରେ ପ୍ରାୟ ୧୧ ହଜାର ଭୋଟ୍‌ ଅଧିକ ପାଇଛି ବିଜେଡି ।

୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ବର୍ଗତ ପ୍ରଦୀପ ମହାରଥୀ ୮୮ହଜାର ୫୧୮ ଭୋଟ୍‌ ପାଇଥିଲେ । ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ ବିଜେପିର ଆଶ୍ରିତ ପଟ୍ଟନାୟକ ୭୨ ହଜାର ୭୩୧ ଭୋଟ୍‌ ପାଇଥିଲେ । ଭୋଟ ବ୍ୟବଧାନ ରହିଥିଲା ପ୍ରାୟ ୧୬ ହଜାର। କିନ୍ତୁ ଉପନିର୍ବାଚନରେ ରୁଦ୍ର ୯୬ହଜାର ୯୭୨ ଭୋଟ୍‌ ପାଇଛନ୍ତି। ବାପାଙ୍କଠାରୁ ୮ହଜାର ୪୫୪ ଭୋଟ୍‌ ଅଧିକ ପାଇଥିବାବେଳେ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀଙ୍କଠାରୁ ୨୦ହଜାର ୯୨୬ ଭୋଟ୍‌ ଆଗରେ ରହିଛନ୍ତି । ୨୦୧୯ ନିର୍ବାଚନରେ ତୁଳନାରେ ପ୍ରାୟ ୪ହଜାର ଭୋଟ୍‌ ଅଧିକ ପାଇଥିଲେ ବି ବିଜେପି ପ୍ରାର୍ଥୀ ଶ୍ରୀ ପଟ୍ଟନାୟକ ପରାଜିତ ହୋଇଛନ୍ତି। ୨୦୧୯ ତୁଳନାରେ ଉଭୟ ବିଜେଡି ଓ ବିଜେପିର ଭୋଟ୍‌ ପ୍ରତିଶତ ବି ବୃଦ୍ଧି ପାଇଛି। ୨୦୧୯ ନିର୍ବାଚନରେ ବିଜେଡି ୫୦.୬୬ ପ୍ରତିଶତ ଓ ବିଜେପି ୪୧.୬୨ ପ୍ରତିଶତ ଭୋଟ୍‌ ପାଇଥିଲା । କଂଗ୍ରେସ ୫.୬୩ ପ୍ରତିଶତ ଭୋଟ୍‌ ପାଇଥିଲା । ଉପନିର୍ବାଚନରେ ବିଜେଡି ୫୩.୬ ପ୍ରତିଶତ ଓ ବିଜେପି ୪୨.୦୪ ପ୍ରତିଶତ‌ ଭୋଟ୍‌ ପାଇଛନ୍ତି । କିନ୍ତୁ କଂଗ୍ରେସର ଭୋଟ୍‌ ପ୍ରତିଶତ କମିଛି । ୨୦୧୯ ନିର୍ବାଚନରେ କଂଗ୍ରେସ ୯୮୩୦ ଭୋଟ୍‌ ପାଇଥିବାବେଳେ ଉପନିର୍ବାଚନରେ ଅଧାରୁ କମ୍‌ ଭୋଟ୍‌ ପାଇଛି । ମାତ୍ର ୨.୩୬ ପ୍ରତିଶତ ଭୋଟ୍‌ରେ ଦଳକୁ ସନ୍ତୁଷ୍ଟ ହେବାକୁ ପଡ଼ିଛି । ମତଦାନ ପରିମାଣ ବଢ଼ିବା ଯୋଗୁ ବିଜେଡି ଓ ବିଜେପିର ଭୋଟ୍‌ ସଂଖ୍ୟା ମଧ୍ୟ ବଢ଼ିଥିବା କୁହାଯାଉଛି ।