କନକ ବ୍ୟୁରୋ : ପଦ୍ମପୁର ଉପ-ନିର୍ବାଚନର ଫଳାଫଳ କଣ ହେବ ତାହାକୁ ନେଇ ରାଜ୍ୟବାସୀଙ୍କ ମନରେ ଉତ୍କଣ୍ଠା ବଢିଛି । କାରଣ ଏହି ଫଳାଫଳ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବଡ ଧରଣର ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି । ତେଣୁ ଉଭୟ ବିଜେପି ଓ ବିଜେଡି ପାଇଁ ଏହି ନିର୍ବାଚନର ଫଳାଫଳ ବେଶ ଗୁରୁତ୍ୱ ବହନ କରୁଛି । ଆଉ ଏସବୁ ଭିତରେ ରାଜନୈତିକ ଦଳ ଗୁଡ଼ିକ ପକ୍ଷରୁ ବିଜୟ ଓ ପରାଜୟ ନେଇ ଆକଳନ ଆରମ୍ଭ ହୋଇଛି । ତେବେ ପଦ୍ମପୁରରେ ମୁଖ୍ୟତଃ ବିଜେପି ଓ ବିଜେଡି ମଧ୍ୟ ଜୋରଦାର ଲଢେଇ ଦେଖିବାକୁ ମିଳିବ ବୋଲି କୁହାଯାଉଛି । ଆଉ ଏସବୁ ଭିତରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ପଦ୍ମପୁରରେ ବିଜେଡି ଜିତିବ । ବିଜେପି ଦୁଇ ନମ୍ବରରେ ଓ କଂଗ୍ରେସ ୩ ନମ୍ବର ସ୍ଥାନରେ ରହିବ ।

Advertisment

ଏହାସହ ସୁର କହିଛନ୍ତି, ପଦ୍ମପୁରରେ ଗଣତନ୍ତ୍ର ବୋଲି କିଛି ନତିଲା । ନିର୍ବାଚନ କମିଶନର, ଜିଲ୍ଲାପାଳ ଓ ଏସପି ଯେମିତି ସବୁ ଦେଖି ଆଖି ବୁଜି ଦେଇଥିଲେ । ପଦ୍ମପୁର ଉପ-ନିର୍ବାଚନରେ ବିଜେଡି ଭୋଟର ପିଛା ୬ ହଜାର ଟଙ୍କା ଦେଇଥିବା ବେଳେ ବିଜେପି ଭୋଟର ପିଛା ୫ ହଜାର ଟଙ୍କା ଦେଇଛି । ଏପରିକି ବୁଥ୍ ଭିତରେ ଭୋଟରଙ୍କୁ ଟଙ୍କା ଦିଆଯାଇଛି । ଯେଉଁମାନେ ଟଙ୍କା ନେଇନାହାନ୍ତି ଏବଂ ବିବେକ ଅନୁଯାୟୀ ଭୋଟ ଦେଇଛନ୍ତି ସେହି ଭୋଟ କଂଗ୍ରେସକୁ ଆସିବ । ଆମେ ତୃତୀୟ ସ୍ଥାନରେ ରହିବୁ ।

ବିଜେଡି ୬୨ ଜଣ ବିଧାୟକ, ୧୦ ଜଣ ସାଂସଦ, ୧୧ ଜଣ ମନ୍ତ୍ରୀ ଓ ନିଜେ ମୁଖ୍ୟମନ୍ତ୍ରୀ ୩ଟି ସଭା ଜରିଆରେ ପଦ୍ମପୁରରେ ନିର୍ବାଚନ ଲଢୁଥିଲା । ବିଜେଡି ୪୦ କୋଟି ଟଙ୍କା ଖର୍ଚ୍ଚ କରିଛି । କଂଗ୍ରେସ ମାତ୍ର ୩୦ରୁ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ପଦ୍ମପୁରରେ ତାହା କାମକୁ ନୁହେଁ । ବିଜେଡି ଓ ବିଜେପି ଆମ ଭୋଟ କିଣିଛନ୍ତି । ସେହିଭଳି ବିଜେପି ୨୦ କୋଟି ଟଙ୍କା ଖର୍ଚ୍ଚ କରିଛି ଏବଂ ଦ୍ୱିତୀୟ ସ୍ଥାନରେ ରହିବ ବୋଲି ସୁର ଭବିଷ୍ୟବାଣୀ କରିଛନ୍ତି ।