ବ୍ରଜରାଜନଗରରେ ବିଜେଡି ନିଶ୍ଚୟ ଜିତିବ, ମହିଳା ଭୋଟ ବିଜେଡି ଖାତାକୁ ଆସିବ । ଦମ୍ଭ ଦେଖାଇଲେ ମନ୍ତ୍ରୀ ଟୁକୁନି ସାହୁ ।

231

କନକ ବ୍ୟୁରୋ : ବ୍ରଜରାଜନଗର ଉପ-ନିର୍ବାଚନକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ପ୍ରଚାର ମୈଦାନକୁ ପ୍ରାର୍ଥୀ ଓହ୍ଲାଇ ସାରିଥିବା ବେଳେ ଏବେ ବିଭିନ୍ନ ଦଳର ଷ୍ଟାର ପ୍ରଚାରକ ମାନେ ବ୍ରଜରାଜନଗର ମୁହାଁ ହେଲେଣି । ବିଜେଡି ନିଜର ଛାମୁଆ ନେତାଙ୍କୁ ବ୍ରଜରାଜନଗରର ବିଭିନ୍ନ ବ୍ଲକ ଓ ପଞ୍ଚାୟତକୁ ଓହ୍ଲାଇ ସାରିଛି । ଆଉ ଅନ୍ୟପଟେ ବିଜେପିର ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ବିଜେପିର ପ୍ରଚାର ପ୍ରକ୍ରିୟା ଖୁବ ଶୀଘ୍ର ଆରମ୍ଭ ହେବ । ମେ ୨୦ ତାରିଖରୁ ବିଜେପି ଷ୍ଟାର କ୍ୟାମ୍ପେନର ପ୍ରଚାର ମୈଦାନକୁ ଓହ୍ଲାଇବେ । ଓଡିଶାର ତିନି କେନ୍ଦ୍ର ମନ୍ତ୍ରୀ, ପ୍ରହଲ୍ଲାଦ ଯୋଶୀ, ଛତିଶଗଡ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ଏବଂ ପ୍ରମୁଖ ନେତୃତ୍ୱ ମଧ୍ୟ ପ୍ରଚାରକୁ ଓହ୍ଲାଇବେ । ଯେହେତୁ ବ୍ରଜରାଜନଗରର ଲଖନପୁର ବ୍ଲକ ଛତିଶଗଡ ସୀମାକୁ ଲାଗିକି ରହିଛି ତେଣୁ ଛତିଶଗଡ ନେତୃତ୍ୱଙ୍କ ପ୍ରଭାବ ଉପ ନିର୍ବାଚନରେ ରହିବ ବୋଲି କହିଛନ୍ତି ପୃଥ୍ୱୀରାଜ ।

ଅନ୍ୟପଟେ ବିଜେଡି ପକ୍ଷରୁ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ବିଜେପିର କେନ୍ଦ୍ରମନ୍ତ୍ରୀ, କେନ୍ଦ୍ରୀୟ ନେତୃତ୍ୱ ଆସିଲେ ବି ବ୍ରଜରାଜନଗରରେ କିଛି ଫରକ ପଡ଼ିବନି । ବିଜେଡି ନିଶ୍ଚୟ ବିଜୟ ଲାଭ କରିବ । ମହିଳାଙ୍କ ଲାଗି ମୁଖ୍ୟମନ୍ତ୍ରୀ ଅନେକ ଯୋଜନା କରିଛନ୍ତି, ମହିଳାଙ୍କ ଭୋଟ ସବୁବେଳେ ବିଜୁ ଜନତା ଦଳକୁ ଯିବ, ସେ ଆଶା ଏବଂ ବିଶ୍ୱାସ ଅଛି । ଅଳକା ମହାନ୍ତି ବହୁତ ଭୋଟରେ ଜିତିବେ । ଯେତେ ନିର୍ବାଚନ ବା ଉପ ନିର୍ବାଚନ ଆସିଛି ସବୁଥିରେ ବିଜୁ ଜନତା ଦଳକୁ ସବୁବେଳେ ସଫଳତା ପାଇଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ ଯୋଜନା ଏବଂ ତାର ସଫଳ ରୂପାୟନ ଏବଂ ଚିନ୍ତାଧାରା ଲୋକ ମାନଙ୍କ ପାଖରେ ପହଂଚିଛି । ଯାହାର ପ୍ରଭାବ ବ୍ରଜରାଜନଗର ଉପ ନିର୍ବାଚନରେ ନିଶ୍ଚୟ ପ୍ରତିଫଳିତ ହେବ ।