ପ୍ରସନ୍ନଙ୍କୁ ମିଳିବ ପୁରସ୍କାର ! ଲୋକସଭା ଟିକେଟ୍ କଟିଲା, ରାଜ୍ୟସଭା ପଠାଇବାକୁ ଘୋଷଣା କଲେ ନବୀନ ।

408

କନକ ବ୍ୟୁରୋ : ୨୧ ବର୍ଷ ପରେ ଭୁବନେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଲା ବିଜୁ ଜନତା ଦଳ । ୨୦୧୯ ସାଧାରଣ ନିର୍ବାଚନର ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ମୋଟ୍ ୯ଟି ଲୋକସଭା ଏବଂ ୩୬ଟି ବିଧାନସଭା ଆସନ ପାଇଁ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଜାରି କରାଯାଇଛି । ତେବେ ଭୁବନେଶ୍ୱର ଲୋକସଭା ଆସନ ଉପରେ ନଜର ପକାଇବା, ତେବେ ୧୯୯୮ ମସିହାରୁ ଏହି ଆସନରୁ ଲୋକସଭା ପାଇଁ ପ୍ରାର୍ଥୀ ହୋଇ ନିର୍ବାଚିତ ହେଉଥିଲେ ପ୍ରସନ୍ନ ପାଟ୍ଟଶାଣୀ । କିନ୍ତୁ ଚଳିତଥର ନିର୍ବାଚନରେ ପ୍ରାର୍ଥୀ ବଦଳାଇଛି ବିଜେଡି । ପାଟ୍ଟଶାଣୀଙ୍କ ବଦଳରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି ଦଳ । ସେପଟେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ରାଜ୍ୟସଭା ପଠାଇବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର ଲୋକସଭା ଆସନ ପାଇଁ ପ୍ରଥମେ ବିଜେପି ପକ୍ଷରୁ ଅପରାଜିତା ଷଡଙ୍ଗୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା । ଏହା ପରେ ଏହି ଆସନରେ ଏଥର କଡା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଥିବା ବେଳେ ବିଜେଡି, କାହାକୁ ପ୍ରାର୍ଥୀ କରିବ, ତା ଉପରେ ରହିଥିଲା ସମସ୍ତଙ୍କ ନଜର । ପ୍ରସନ୍ନ ପାଟ୍ଟଶାଣୀ ଏବଂ ଅରୂପ ପଟ୍ଟନାୟକଙ୍କ ମଧ୍ୟରୁ, ଶେଷରେ ଅରୂପଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରମୋ । ସେପଟେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଦଳ ରାଜ୍ୟସଭା ପଠାଇବା ନେଇ ଘୋଷଣା କରିଛନ୍ତି, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।