ମାର୍ଚ୍ଚ ୫ ବିଜୁ ଜୟନ୍ତୀ ପାଇଁ ବିଜେଡିର ବଡ ପ୍ରସ୍ତୁତି । ସେପଟେ ମାର୍ଚ୍ଚ ୮ରେ ମହିଳା ଦିବସ ପାଳନ କରିବ ଦଳ ।

345

କନକ ବ୍ୟୁରୋ: ବିଜୁ ଜୟନ୍ତୀ ପାଇଁ ବିଜେଡିର ବଡ ପ୍ରସ୍ତୁତି । ଆସନ୍ତା ୫ ତାରିଖରେ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କର ୧୦୮ ତମ ଜନ୍ମ ଜୟନ୍ତୀ ପାଳନ କରିବାକୁ ଯାଉଛି ବିଜେଡି । ଏହି ଅବସରରେ ଦଳ ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ କରାଯିବାକୁ ଥିବାବେଳେ, ଏନେଇ ସୂଚନା ଦେଇଛନ୍ତି ଦଳର ନେତା ସଂତୃପ୍ତ ମିଶ୍ର । ମାର୍ଚ୍ଚ ୫ ତାରିଖ ଦିନ ସକାଳୁ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ପ୍ରତି ନିର୍ବାଚନ ମଣ୍ଡଳୀରେ ଏହାକୁ ପାଳନ କରାଯିବ । ଏଥିସହିତ ବିଜୁ ଯୁବ ଜନତା ଦଳ ତରଫରୁ ସାଇକେଲ୍ ଶୋଭାଯାତ୍ରା ମଧ୍ୟ ଆୟୋଜନ କରାଯିବ । ତତସହିତ ଏହିଦିନ ବାଳାଶ୍ରମ, ଅନାଥଶ୍ରମରେ ମଧ୍ୟ ଫଳ ବିତରଣ କରାଯିବ ବୋଲି ଦଳ ପକ୍ଷରୁ ପ୍ରେସମିଟ୍ କରି ସୂଚନା ଦିଆଯାଇଛି । ଅନ୍ୟପଟେ ମାର୍ଚ୍ଚ ୮ ତାରିଖରେ ମହିଳା ଦିବସ ଏବଂ ଏପ୍ରିଲ ୧୭ ତାରିଖରେ ବିଜୁ ବାବୁଙ୍କ ତିରୋଧାନ ଦିବସ ମଧ୍ୟ ପାଳନ କରିବ ବିଜୁ ଜନତା ଦଳ । ମାର୍ଚ୍ଚ ୮ରେ ବିଜୁ ଜନତା ଦଳ ତରଫରୁ ମହିଳା ସମାବେଶ ଆୟୋଜନ କରାଯିବ ବୋଲି ଦଳର ସାଂସଦ ସସ୍ମିତ ପାତ୍ର ସୂଚନା ଦେଇଛନ୍ତି ।