କନକ ବ୍ୟୁରୋ: କୋଭିଡ୍ ନିୟମ ଉଲ୍ଲଂଘନ ନେଇ ମୁହାଁମୁହିଁ ହୋଇଛନ୍ତି, ବିଜେପି ସାଂସଦ ଅପରାଜିତ ଷଡଙ୍ଗୀ ଓ ବିଜେଡି । ସାମାଜିକ ଦୂରତାର ନିୟମକୁ ଭୁଲି ଜନ୍ମଦିନ ପାଳନର ଭିଡିଓ ଭାଇରାଲ ହେବା ପରେ ବିବାଦ ତେଜିଥିଲା । ସାଂସଦଙ୍କର ଅଫିସକୁ ବିଏମସି କର୍ତୃପକ୍ଷ ସିଲ୍ କରିବା ପରେ ଚିହିଁକି ଉଠିଥିଲେ ଅପରାଜିତା । ଦୋଷ ମାନିବା ବଦଳରେ ସାମ୍ବାଦିକ ସମ୍ମିଳନୀ କରି ଦୋଷ ଲଦିଥିଲେ । ୧୭ଟି ଫଟୋ ଦେଖାଇ ପଚାରିଥିଲେ ନିୟମ ଭାଙ୍ଗି କାର୍ଯ୍ୟକ୍ରମ କରିଥିବା ବିଜେଡି ଅଫିସକୁ କେବେ ସିଲ୍ କରାଯିବ । ରାଜନୀତିର ଏହି ଆରୋପ ପ୍ରତ୍ୟାରୋପର ଅଧ୍ୟାୟ ଭିତରେ ବିଜେଡି କିନ୍ତୁ ମାପିଚୁପି ବୟାନ ରଖିଛି ।

Advertisment

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଭୁବନେଶ୍ୱର ସ୍ଥିତ ଏହି କାର୍ଯ୍ୟାଳୟକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି । ଦୁଇ ଦିନ ତଳେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଭଳି କୋଭିଡ କଟକଣାକୁ ଫୁ କରି ସମର୍ଥକଙ୍କ ଗ୍ରହଣରେ ଜନ୍ମଦିନ ପାଳନ କରିଥିଲେ ଅପରାଜିତା । ଏହି ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୋଡକୁ ଆସି ଯାଇଥିଲା ପ୍ରଶାସନ । ସାଂସଦଙ୍କ କାର୍ଯ୍ୟାଳୟକୁ ୧୫ ଦିନ ପାଇଁ ସିଲ କରିଦେଇଛି ବିଏମସି ।

publive-image

ଜନ୍ମଦିନ ପାଳନ ବେଳେ କୋଭିଡ ନିୟମ ଉଲଂଘନ କରିବା ପ୍ରସଙ୍ଗରେ ଦୋଷ ସ୍ୱୀକାର କରିବା ବଦଳରେ ବିଜେଡି ଉପରେ ପାଲଟା ଅଭିଯୋଗ କରିଛନ୍ତି ଭୁବନେଶ୍ୱର ସାଂସଦ । ତାଙ୍କ କାର୍ଯ୍ୟାଳୟକୁ ବିଏମସି ସିଲ କରିଦେବା ପରେ ଚିହିଁକି ଉଠିଛନ୍ତି ଅପରାଜିତା । ବିଜେଡି କାର୍ଯ୍ୟାଳୟରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମର ଫଟୋ ଦେଖାଇ ବିଜେଡି ଅଫିସ୍ କେବେ ସିଲ କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି ।

୧୫ ଦିନ ପାଇଁ ସାଂସଦଙ୍କ କାର୍ଯ୍ୟାଳୟକୁ ସିଲ୍ କରାଯାଇ ସେହି ସ୍ଥାନକୁ ବିଶୋଧନ କରାଯିବା ସହ ଏଥିରେ ସାମିଲ ହୋଇଥିବା ସମସ୍ତଙ୍କର କୋଭିଡ୍ ଟେଷ୍ଟ କରାଯିବ ବୋଲି ସୂଚନା ଦେଇଛି ବିଏମସି । ବିଜେଡି ବିରୋଧରେ ଅପରାଜିତା ଲମ୍ବା ଅଭିଯୋଗ କରିଥିବା ବେଳେ ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି, ଭୁବନେଶ୍ୱର ସାଂସଦଙ୍କ ଅଫିସ ସିଲ ନିଷ୍ପତି ପ୍ରଶାସନିକ ନିଷ୍ପତି । କରୋନା ସହ ଲଢେଇ ମାନବିକତାର ଲଢେଇ, ଏଥିରେ ରାଜନୀତି ନାହିଁ ।

publive-image

ଏପଟେ ସାଂସଦ ଅପରାଜିତା ଷଡଙ୍ଗୀ କୋଭିଡ୍ ନିୟମ ଉଲଂଘନ କରିଥିବା ନେଇ ଡିସିପିଙ୍କ ନିକଟରେ ଅଭିଯୋଗ କରିଛନ୍ତି କୋଭିଡ୍ ଯୋଦ୍ଧା । ମେଡିକାଲ କର୍ମଚାରୀ, ସଫେଇ କର୍ମଚାରୀ ଏବଂ ଆଶା କର୍ମୀ ଆଦି କୋଭିଡ୍ ଯୋଦ୍ଧା ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଜୀବନକୁ ବାଜି ଲଗାଇ ସେମାନେ କୋଭିଡ୍ ବିରୁଦ୍ଧରେ ଲଢୁଥିବା ବେଳେ ଅପରାଜିତା ବାରମ୍ବାର ନିୟମର ଉଲଂଘନ କରୁଛନ୍ତି । ତେଣୁ ତାଙ୍କ ବିରୋଧରେ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।