ବଲାଙ୍ଗୀରରେ ବିଜେଡି ବନାମ କଂଗ୍ରେସ। ମନ୍ତ୍ରୀଙ୍କ ଉପସ୍ଥିତିରେ କର୍ମୀ ଧସ୍ତାଧସ୍ତି।

111

କନକ ବ୍ୟୁରୋ: ବଲାଙ୍ଗୀରରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ଅବସର ଥିଲା ସଂସ୍କୃତି ଭବନ ଉଦ୍ଦଘାଟନ ସମୟର । ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଜିଲ୍ଲାପାଳ ଚଞ୍ଚଳ ରଣା, ବଲାଙ୍ଗୀର ମୁନସିପାଲଟି ଚେୟାରମ୍ୟାନ୍ ଲିକା ସାହୁଙ୍କ ସମେତ ଉଭୟ ଦଳର ସମର୍ଥକ । କିନ୍ତୁ ଉଦଘାଟନ ପରେ, ଘର ଭିତରେ ବସିଥିବା ସମୟରେ, ପଟ୍ଟା ବଣ୍ଟାକୁ ନେଇ ନରସିଂହ ମିଶ୍ର ଓ ବିଜେଡି କାଉନସିଲରଙ୍କର ଯୁକ୍ତିତର୍କ ହୋଇଥିଲା । ତାପରେ କଂଗ୍ରେସ ଓ ବିଜେଡି କର୍ମୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଧସ୍ତାଧସ୍ତି ହୋଇଥିଲା ।

ଦୁଇ ଦଳର କର୍ମୀଙ୍କ ମଧ୍ୟରେ ଯେତେବେଳେ ମୁହାଁମୁହିଁ ହୋଇଥିଲେ, ସେତିକିବେଳେ ସେଠାରୁ କୌଶଳ କ୍ରମେ ଚାଲି ଯାଇଥିଲେ ମନ୍ତ୍ରୀ ରୋହିତ ପୂଜାରୀ ଓ ସାଂସଦ ନିରଞ୍ଜନ ବିଶି । ତାପରେ ଦୁଇ ଦଳର କର୍ମୀ ପରସ୍ପର ବିରୋଧରେ ନାରାବାଜି କରିଥିଲେ । ଆଉ ଉତ୍ତେଜନା ବଢ଼ୁଥିବାବେଳେ ଜିଲ୍ଲାପାଳ, ତାଙ୍କ ପିଏସଓ ଓ ଏସଡିପିଓ ଉଭୟ ଦଳର କର୍ମୀଙ୍କୁ ବୁଝାସୁଝା କରିବା ପରେ ସେମାନେ ସ୍ଥାନ ଛାଡି ଯାଇଥିଲେ ।

ପାଟିତୁଣ୍ଡ ପରେ ବିଜେଡି ଓ କଂଗ୍ରେସ କର୍ମୀ ଚାଲିଯାଇଥିଲେ ବି ଏହି ମାମଲା ଏବେ ଥାନାରେ ପହଞ୍ଚିଛି । ବିଜେଡି କାଉନସିଲର କଂଗ୍ରେସ ନେତା ଓ କର୍ମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ବିଧାୟକଙ୍କୁ ଦୁର୍ବ୍ୟବହାର କରାଯାଇଥିବା କଂଗ୍ରେସ ପକ୍ଷରୁ ଏତଲା ଦିଆଯାଇଛି । ଏବଂ ବିଜେଡିର ଅଭିଯୋଗକୁ ଖଣ୍ଡନ କରିଛି କଂଗ୍ରେସ ।

ଉଭୟ ପଟରୁ ଅଭିଯୋଗ ହୋଇଥିଲେ ବି, ପୋଲିସ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନି । ତଦନ୍ତ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ବରିଷ୍ଠ ପୋଲିସ ଅଧିକାରୀ । ତେବେ ଏହି ପ୍ରସଙ୍ଗକୁ ନେଇ ସୋସିଆଲ ମିଡିଆରେ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ଆରମ୍ଭ ହୋଇଛି କଳି ।