ସିଏଜି ରିପୋର୍ଟରେ ସାଂଘାତିକ ତଥ୍ୟ । ଟ୍ରାନ୍ସଫରମର କିଣାରେ ୧୭୫ କୋଟି ପାଣିରେ ପକାଇ ଦେଇଛନ୍ତି ସରକାର, ଘେରିଲା ବିଜେପି ।

137

କନକ ବ୍ୟୁରୋ : ଟ୍ରାନ୍ସଫରମର କିଣାରେ ୧୭୫ କୋଟି ପାଣିରେ ପକାଇ ଦେଇଛନ୍ତି ସରକାର । ସିଏଜି ତାଙ୍କ ରିପୋର୍ଟରେ ଏହା ଦର୍ଶାଇଛନ୍ତି । ବିଜେପିର ଅଭିଯୋଗ ହେଲା, ଘରୋଇ କମ୍ପାନୀକୁ ଲାଭ ଦେବା ପାଇଁ ସରକାର ଯୋଜନା କରିଥିଲେ । ଏହାର ଜବାବ ରଖିଛି ବିଜେଡି । ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ଅଭିଯୋଗ କପୋଳକଳ୍ପିତ ଏବଂ ଭିତିହୀନ ।

ସିଏଜି ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ବିଜେପିର ଅଭିଯୋଗ ହେଲା, ରାଜ୍ୟରେ ୨୦୧୩ର ସର୍ଭେ ଅନୁସାରେ ବିଦ୍ୟୁତ ସରବରାହରେ ୩୭ ପ୍ରତିଶତ କ୍ଷତି ହେଉଥିଲା । ଯାହା ୨୨ ପ୍ରତିଶତରେ ସୀମିତ ରହିବା କଥା । ତେଣୁ ୧୨୦୦ ନୂଆ ଟ୍ରାନସଫରମର ବସାଇବା ପାଇଁ ୨୬ଶହ କୋଟି ଟଙ୍କାର ଯୋଜନା କରାଯାଇଥିଲା । ୩ବର୍ଷ ଭିତରେ ଏହି କାମ ସରିବ ବୋଲି ନିଷ୍ପତି ନିଆଗଲା । କିନ୍ତୁ ବର୍ତମାନ ସୁଦ୍ଧା ମାତ୍ର ୩୫ ପ୍ରତିଶତ କାମ ସରିଛି । ଏହାରି ଭିତରେ ଏହି ପ୍ରକଳ୍ପର ଦାମ ବଢି ୩ହଜାର୮୪୩ କୋଟିରେ ପହଂଚିଛି । ଘରୋଇ ବେପାରୀଙ୍କ ପାଇଁ ରାଜ୍ୟ ସରକାର ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଛି । ଓପିଟିସିଏଲର ନିଜସ୍ୱ କ୍ଷମତା ରହିଥିବା ବେଳେ ଘରୋଇ କମ୍ପାନୀଙ୍କୁ ଲାଭ ଦେବା ପାଇଁ ସୁଯୋଗ ଦିଆଯାଇଥିବା ବିଜେପି ଅଭିଯୋଗ ଆଣିଛି ।

ଘରୋଇ କମ୍ପାନୀଙ୍କୁ ଅନୁକମ୍ପା ଦେଖାଇବା ଦ୍ୱାରା ୧୭୫ କୋଟି ଟଙ୍କା ସିଧାସଳଖ କ୍ଷତି ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି । କଂଗ୍ରେସର କହିବା ହେଲା ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଅର୍ଥ ବିଭାଗ ସ୍ପଷ୍ଟୀକରଣ ରଖିବା ଦରକାର ।

ଅନ୍ୟପଟେ ବିଜେଡି କହିଛି, ସିଏଜି ରିପୋର୍ଟ ଉପରେ ବିଜେପିର ମନ୍ତବ୍ୟ ଅସତ୍ୟ । ପିଏସି କମିଟିରେ ତର୍ଜମା ପରେ ଏପରି ମନ୍ତବ୍ୟ ଦେଇଥିଲେ ଠିକ ହୋଇଥାନ୍ତା ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସିଏଜି ରିପୋର୍ଟ ବିଧାନସଭା ଗୃହରେ ଉପସ୍ଥାପିତ ହେବା ପରେ ଏହାକୁ ନେଇ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି ବିରୋଧୀ । କେବଳ ଶକ୍ତି ନୁହେଁ ଜମି ଦୁର୍ନୀତି, କିସାନ କ୍ରେଡିଟ କାର୍ଡ, ନିଯୁକ୍ତି ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ହୋଇଥିବା ସିଏଜି ରିପୋର୍ଟରେ ଦର୍ଶାଯାଇଛି ।