୫ରୁ ୨୦ ଯାଏ ପାଳନ ହେବ ବିଜୁ ଜୟନ୍ତୀ ! ମାର୍ଚ୍ଚ ୫ରୁ ୨୦ ତାରିଖ ଯାଏ ବିଭିନ୍ନ ନିର୍ବାଚନମଣ୍ଡଳୀ ସ୍ତରରେ ବିଜୁ ଜୟନ୍ତୀ ପାଳନ କରିବ ବିଜେଡି

177

କନକ ବ୍ୟୁରୋ: ଆସନ୍ତା ମାର୍ଚ୍ଚ ୫ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ। ଏହାକୁ ପ୍ରଭାବୀ ଢଙ୍ଗରେ ପାଳନ କରିବା ପାଇଁ ବିଜେଡି ନିଷ୍ପତ୍ତି ନେଇଛି। ୫ରୁ ୨୦ ତାରିଖ ଯାଏ ବିଭିନ୍ନ ନିର୍ବାଚନମଣ୍ଡଳୀ ସ୍ତରରେ ଏହା ପାଳିତ ହେବ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ରାଜ୍ୟ କର୍ମକର୍ତ୍ତା, ପର୍ଯ୍ୟବେକ୍ଷକ, ସାଂସଦ, ବିଧାୟକ, ବିଧାୟିକା, ଜିଲ୍ଲା ସଭାପତି, ଛାମୁଆ ସଂଗଠନର ରାଜ୍ୟ ସଭାପତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଅଧ୍ୟକ୍ଷା, ଉପାଧ୍ୟକ୍ଷ, ଉପାଧ୍ୟକ୍ଷାମାନଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଜଣାଇଛନ୍ତି। ବିଜୁ ଜୟନ୍ତୀରେ ନିର୍ଦ୍ଦିଷ୍ଟ ଭାବେ କେଉଁ କେଉଁ କାର୍ୟ୍ୟକ୍ରମ ହାତକୁ ନିଆଯିବ, ତାହାର ସମ୍ୟକ ସୂଚନା ବି ଦେଇଛନ୍ତି।

ଜୟନ୍ତୀ କାର୍ଯ୍ୟକ୍ରମ ଅବସରରେ ବିଜେଡିର ସକ୍ରିୟ ସଭ୍ୟମାନଙ୍କ ବୈଠକ ବ୍ଲକ୍ ଓ ପୌରାଞ୍ଚଳରେ ଆୟୋଜନ କରାଯାଇ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡିର ଦୁଇ ଦଶନ୍ଧିର ସଫଳ ଯାତ୍ରା ସମ୍ପର୍କରେ ଆଲୋଚନା କରାଯିବ। ବିଜୁ ବାବୁଙ୍କ ଜୟନ୍ତୀ ଠାରୁ ତିରୋଧାନ ଦିବସ ଏପ୍ରିଲ୍ ୧୭ ତାରିଖ ମଧ୍ୟରେ ବିଜେଡିର ଯୁବ ଓ ଛାତ୍ର ସଂଗଠନ ଦ୍ବାରା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ‘ଜୀବନବିନ୍ଦୁ’ ଆୟୋଜନ କରାଯିବ। ବିଜୁ ବାବୁଙ୍କ ଜନ୍ମଦିବସରେ ଦଳର ପ୍ରତ୍ୟେକ ସଦସ୍ୟ ରାଜ୍ୟର ଜନସାଧାରଣଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ସହ ଦଳୀୟ ଏକତା, ଶୃଙ୍ଖଳା ଓ ଅନୁଶାସନ କରିବା ପାଇଁ ପ୍ରତିଜ୍ଞାବଦ୍ଧ ହେବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ଦଳର ମହିଳା ସଂଗଠନ ପକ୍ଷରୁ ନିର୍ବାଚନମଣ୍ଡଳୀ ସ୍ତରରେ ମହିଳା ସମାବେଶ ଆୟୋଜନ କରାଯାଇ ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଥିବା ୧୦ ଜଣ ସଫଳ ମହିଳାଙ୍କୁ ସମ୍ମାନିତ କରାଯିବ। ମହିଳା ସଶକ୍ତୀକରଣ ଦିଗରେ ବିଜୁ ବାବୁଙ୍କ ଅବଦାନ ଓ ନବୀନ ପଟ୍ଟନାୟକଙ୍କ ୨୦ ବର୍ଷ ଶାସନ କାଳରେ ମହିଳାଙ୍କ ସଶକ୍ତୀକରଣ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା ହେବ।

ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଆହୁରି ଦର୍ଶାଇଛନ୍ତି, ବିଜୁ ବାବୁଙ୍କ ପ୍ରଦର୍ଶିତ ମାର୍ଗରେ ରାଜ୍ୟ ସରକାର ବିକାଶର ଯାତ୍ରା ଆଗେଇ ନେଉଛନ୍ତି। ପ୍ରଶାସନକୁ ଆହୁରି ଉତ୍ତରଦାୟୀ, ସ୍ବଚ୍ଛ ଓ ଲୋକାଭିମୁଖୀ କରିବା ପାଇଁ ୫-ଟି ମନ୍ତ୍ର ସହିତ ‘ମୋ ସରକାର’ କାର୍ୟ୍ୟକ୍ରମ ଆରମ୍ଭ କରାଯାଇଛି। ନିକଟରେ ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗ ତଥା ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ସାମାଜିକ ଓ ଅର୍ଥନୈତିକ ସେର୍ଭ କରିବା ପାଇଁ ଏକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥି ସହିତ ବିଜୁ ବାବୁଙ୍କ ଜନ୍ମ ତିଥିରୁ ଆରମ୍ଭ କରି ଏହି ଦୁଇ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳରେ ପକ୍କା ଘର ପାଇ ନ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ‘ପକ୍କାଘର ଯୋଗ୍ୟତା କାର୍ଡ’ ଓ ସହରାଞ୍ଚଳରେ ରହୁଥିବା ବସ୍ତିବାସିନ୍ଦାଙ୍କୁ ‘ଜାଗା ମିସନ୍’ ମାଧ୍ୟମରେ ଭୂମି ଅଧିକାର ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ କରାଯିବ। ବିଜେଡି ଦ୍ବାରା ପରିଚାଳିତ ସରକାରଙ୍କର ଏହି ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକୁ ଆନ୍ତରିକତାର ସହିତ ରାଜ୍ୟର ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ଦଳର ସଭାପତି ପରାମର୍ଶ ଦେଇଛନ୍ତି।